ଚାଷୀ ଆନ୍ଦୋଳନ : ସରକାର-କୃଷକଙ୍କ ମଧ୍ୟରେ ନୂଆ ଆଇନକୁ ନେଇ ବାହାରି ପାରୁନି ନିଷ୍କର୍ସ

ନୂଆଦିଲ୍ଲୀ : ଦିନ ଗଡ଼ୁଛି, ବୈଠକ ପରେ ବୈଠକ ବସୁଛି । ତଥାପି ସରକାର-କୃଷକଙ୍କ ମଧ୍ୟରେ ନୂଆ ଆଇନକୁ ନେଇ ବାହାରି ପାରୁନି ନିଷ୍କର୍ସ । ଶୁକ୍ରବାର ବସିଥିବା ନବମ ବୈଠକ ମଧ୍ୟ ବିଫଳ ହୋଇଛି । ବୈଠକରେ କୌଣସି ସମାଧାନର ବାଟ ବାହାରି ତିନି କୃଷି ଆଇନ୍ ଓ ଏମଏସପି ନେଇ ପାରିନାହିଁ । ସୁପ୍ରିମକୋର୍ଟଙ୍କ କମିଟି ଗଠନ ପରେ ଏହା ଥିଲା ପ୍ରଥମ ଆଲୋଚନା । ହେଲେ କିଛି ନୂଆ ଦେଖିବାକୁ ମିଳିଲାନି । ଯିଏ ଯାହା ଜିଦରେ ଅଟଳ ରହିଲେ । ସରକାର କହୁଛନ୍ତି- କୃଷି ଆଇନ ପ୍ରତ୍ୟାହାର ହେବନି, ସେପଟେ କୃଷକ ସଂଗଠନ ଅଡି ବସିଛି- ପ୍ରତ୍ୟାହାର କରିବାକୁ ହିଁ ପଡିବ । ସରକାରଙ୍କ ପ୍ରସ୍ତାବ ମାନିବାକୁ ଚାଷୀ ନାରାଜ, ଏପଟେ ଚାଷୀ ପ୍ରସ୍ତାବ ଦେଲେ ତାହା ଉପରେ ବିଚାର କରାଯିବ ବୋଲି କୃଷି ମନ୍ତ୍ରୀ କହିଛନ୍ତି । ସରକାର କହିଛନ୍ତି ସୁପ୍ରିମକୋର୍ଟ କମିଟି ଆଗରେ ପକ୍ଷ ରଖାଯିବ । ଆସନ୍ତା ୧୯ ତାରିଖରେ ପୁଣି ଥରେ କୃଷକ ପ୍ରତିନିଧି ଓ ସରକାରଙ୍କ ମଧ୍ୟରେ ଦଶମ ବୈଠକ ବସିବ । ଅନ୍ୟପଟେ ନବମ ବୈଠକ ପରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପ୍ରତିକ୍ରିୟା ରଖିଛନ୍ତି । ଆବଶ୍ୟକ ବସ୍ତୁ ଅଧିନିୟମ ଉପରେ ବିସ୍ତୃତ ଆଲୋଚନା ହୋଇଛି । ୟୁନିୟନ ଓ ସରକାରଙ୍କ ମଧ୍ୟରେ ଜାନୁଆରୀ ୧୯ ଦିନ୧୨ଟାରେ ପୁଣି ବୈଠକ ବସିବ ବୋଲି କୃଷିମନ୍ତ୍ରୀ କହିଛନ୍ତି । ସୁପ୍ରିମକୋର୍ଟଙ୍କ ପ୍ରତି ସମସ୍ତଙ୍କ ପ୍ରତିବଦ୍ଧତା ରହିଛି । କୋର୍ଟଙ୍କ ନିଷ୍ପତ୍ତିକୁ ଭାରତ ସରକାର ସ୍ୱାଗତ କରୁଥିବା ତୋମାର କହିଛନ୍ତି । ସୁପ୍ରମିକୋର୍ଟଙ୍କ ଦ୍ୱାରା ଗଠିତ କମିଟି ସରକାରଙ୍କୁ ଯେବେ ଡାକିବେ ପକ୍ଷ ରଖାଯିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି । ସେପଟେ ୯ମ ପର୍ଯ୍ୟାୟ କଥାବାର୍ତ୍ତା ୧୨୦ ପ୍ରତିଶତ ବିଫଳ ହୋଇଛି ବୋଲି କୃଷକ ସଂଗଠନଗୁଡ଼ିକ କହିଛନ୍ତି । ସେମାନେ କହିଛନ୍ତି ଯେ ଯେକୌଣସି ମତେ ଜାନୁଆରି ୨୬ରେ ଟ୍ରାକ୍ଟର ଶୋଭାଯାତ୍ରା କରିବୁ ।