ଚାରିଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ଆଗକୁ ରଙ୍ଗର ପର୍ବ ହୋଲି ଆସୁଛି। ହୋଲିକୁ ଦୃଷ୍ଟିରେ ରଖି ଯଦି ବ୍ୟାଙ୍କ୍‌ରେ କିଛି ଜରୁରି କାମ ରହିଛି ତେବେ ସୋମବାର-ମଙ୍ଗଳବାର ଭିତରେ ଏହି ସବୁ କାମ ଶେଷ କରି ଦିଅନ୍ତୁ। ଏହାପରେ ଅର୍ଥାତ୍‌ ହୋଲି ଓ ବାକି ଛୁଟି ପାଇଁ ବ୍ୟାଙ୍କ୍‌ ବନ୍ଦ ରହିବ। ଏହି ସମୟରେ ଏଟିଏମ୍‌ରୁ ଟଙ୍କା ବାହାର କରିବା ପାଇଁ ବି ଅସୁବିଧାର ସାମ୍ନାକୁ କରିବାକୁ ପଡ଼ିବ। ଏହି ଚାରିଦିନ ବ୍ୟାଙ୍କ ଛୁଟି ଅଲଗା-ଅଲଗା ରାଜ୍ୟ ହିସାବରେ ଅଲଗା-ଅଲଗା ରହିବ। ସମଗ୍ର ଦେଶରେ ହୋଲି ଉତ୍ସବ ୨୦ ଓ ୨୧ ମାର୍ଚ୍ଚ ପାଳନ କରାଯିବ। ୨୦ମାର୍ଚ୍ଚ ହୋଲି ଓ ୨୧ ମାର୍ଚ୍ଚ ହୁଲ୍ଡେଡି ରହିଛି। ଏଥିପାଇଁ ମାର୍ଚ୍ଚ ୨୦ ଓ ୨୧ ବ୍ୟାଙ୍କ ବନ୍ଦ ରହିବ। ତେବେ କିଛି ରାଜ୍ୟରେ କେବଳ ମାର୍ଚ୍ଚ ୨୧ରେ ହିଁ ବ୍ୟାଙ୍କ ଛୁଟି ରହିଛି। ସେହିପରି ଗୁଜୁରାଟ ଓ ଅନ୍ୟ ରାଜ୍ୟରେ ଥିବା ସରକାରୀ ବ୍ୟାଙ୍କ୍‌ରେ ମାର୍ଚ୍ଚ ୨୦ ହୋଲି ଛୁଟି ନାହିଁ। ଉତ୍ତରପ୍ରଦେଶରେ ମାର୍ଚ୍ଚ ୨୦ ଓ ୨୧ରେ ବ୍ୟାଙ୍କ ଛୁଟି ରହିବ। ୨୦-୨୧ ପରେ ୨୨ ମାର୍ଚ୍ଚ ବ୍ୟାଙ୍କ ଖୋଲିବ, କିନ୍ତୁ ଦୁଇଦିନ ଛୁଟି ପରେ ବ୍ୟାଙ୍କ ଭିଡ ରହିପାରେ। ୨୨ ମାର୍ଚ୍ଚ ‘ବିହାର ଡେ’ ହେବା ହେତୁ ବିହାରର ସରକାରୀ ବ୍ୟାଙ୍କ ଛୁଟି ରହିବ, କିନ୍ତୁ ବାକି ରାଜ୍ୟର ବ୍ୟାଙ୍କ ଖୋଲା ରହିବ। ୨୨ମାର୍ଚ୍ଚ ପରେ ୨୩ମାର୍ଚ୍ଚ ମାସର ଚତୁର୍ଥ ଶନିବାର, ଯେଉଁ କାରଣରୁ ସମସ୍ତ ବ୍ୟାଙ୍କ ଛୁଟି ରହିବ। ଏହାପରେ ମାର୍ଚ୍ଚ ୨୪ ରବିବାର ରହିଛି। ଅର୍ଥାତ୍‌ ସୋମବାର ମାର୍ଚ୍ଚ ୨୫ରେ ବ୍ୟାଙ୍କ ଖୋଲିବ। ଏହି ହିସାବରେ ମାର୍ଚ୍ଚ ୨୦ରୁ ନେଇ ୨୪ମାର୍ଚ୍ଚ ମଧ୍ୟରେ କେବଳ ଗୋଟିଏ ଦିନକୁ ଛାଡ଼ି ଦେଲେ ବ୍ୟାଙ୍କ ବନ୍ଦ ରହିବ।