ଗ୍ରାମୀଣ ଯୁବକଙ୍କ ବ୍ୟକ୍ତିତ୍ୱର ପୂର୍ଣ୍ଣ ବିକାଶ ପାଇଁ କ୍ରୀଡା ହିଁ ମୂଳମନ୍ତ୍ର: ଡଃ ତପନ ଚାନ୍ଦ

ପୁରୀର ଗ୍ରାମ ଯୁବକମାନଙ୍କ ଚେଷ୍ଟାରେ ପ୍ରାୟ ୩୦ରୁ ଅଧିକ ଗ୍ରାମ ଗତ ଦଶନ୍ଧିରୁ ଗ୍ରାମୀଣ କ୍ରୀଡା ପ୍ରତିଯୋଗିତା ପାଇଁ ସଂଗଠିତ ହେୁଛନ୍ତି । ଏହି ବର୍ଷ ମାର୍ଚ୍ଚ ମାସ ୨୦ ରୁ ୨୨ ତାରିଖ ଯାଏଁ ଦିବାରାତ୍ର କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଶିଳ୍ପ ଜଗତର ଜଣାଶୁଣା ବ୍ୟକ୍ତିତ୍ୱ ଡଃ ତପନ କୁମାର ଚାନ୍ଦ ଏବଂ ପ୍ରତିଷ୍ଠିତ ଶିଳ୍ପୀ ପଦ୍ମଶ୍ରୀ ପ୍ରଭାକର ମହାରଣା ଉଦଘାଟନ ସମାରୋହରେ ଯୋଗ ଦେଇ ଯୁବକମାନଙ୍କୁ ଉତ୍ସାହିତ କରିଥିଲେ । ଉଭୟ ଏହି ଅଂଚଳର ମୂଳ ନିବାସୀ । ଗୋପ ବ୍ଲକର କଣ୍ଟାପଡା ବିଭିନ୍ନ ଦୃଷ୍ଟିକୋଣରୁ ଏକ ଆଦର୍ଶ ଗ୍ରାମ । ଏହି ଗ୍ରାମର ଯୁବକମାନେ ସମାଜ ସେବା ପାଇଁ ସର୍ବଦା ସକ୍ରିୟ । ପ୍ରଶାସନ ଠାରୁ କୌଣସି ସାହାଯ୍ୟ ନ ପାଇ ମଧ୍ୟ ସେମାନେ ନିଜ ଅନୁଦାନରେ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ କରି ସମସ୍ତଙ୍କୁ ଉତ୍ସାହିତ କରୁଛନ୍ତି । ଦୂରଦୂରାନ୍ତରେ କାର୍ଯ୍ୟ କରୁଥିବା ଗ୍ରାମର ଯୁବକମାନେ ମଧ୍‌ୟ ଏହି ଉତ୍ସବକୁ ନିଶ୍ଚୟ ଆସନ୍ତି । ଆର୍ଥିକ ସାହାଯ୍ୟ କରିବା ସହ କ୍ରୀଡାରେ ମଧ୍ୟ ଅଂଶଗ୍ରହଣ କରନ୍ତି । ଜାତୀୟ ଓ ଅନ୍ତର୍ଜାତୀୟକ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ପଦ୍ମଶ୍ରୀ ପ୍ରଭାକର ମହାରଣା ତାଙ୍କ ଗ୍ରାମ ସୁଧାନଗର ନିଜ ପାଇଁ ସର୍ବଦା ପ୍ରିୟ ବୋଲି ତାଙ୍କ ଉଦବୋଧନରେ ଉଲ୍ଲେଖ କରିଥିଲେ ।

ସେ ଆହୁରି ମଧ୍ୟ କହିଲେ ଯେ ତାଙ୍କ ପାଖ ଗ୍ରାମର ଡଃ ଚାନ୍ଦ ଶିଳ୍ପ ଜଗତର ଜଣେ ଉଚ୍ଚ ଅଧିକାରୀ ହୋଇ ମଧ୍ୟ ନିଜ ଗ୍ରାମକୁ କେବେ ଭୁଲି ପାରିନାହାଁନ୍ତି । ମହାବାତ୍ୟା, ଫନି ଭଳି ପ୍ରାକୃତିକ ଦୁର୍ବିପାକ ସମୟରେ ଡଃ ଚାନ୍ଦ ରିଲିଫ ସାମଗ୍ରୀ ତାଙ୍କ ସୁଦୂର କାର୍ଯ୍ୟସ୍ଥଳରୁ ଆଣି ଗ୍ରାମରେ ବଣ୍ଟନ କରିଛନ୍ତି । ଗ୍ରାମବାସୀଙ୍କ ବିପତ୍ତି ସମୟରେ ସେ ସର୍ବଦା ସେମାନଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି । ଗ୍ରାମ ସଭାପତି ଶ୍ରୀ ମୋହନୀ ବେହେରା, ଆୟୋଜନ କମିଟି ସଭାପତି ତଥା ନବ ନିର୍ବାଚିତ ପଂଚାୟତ ପ୍ରତିନିଧି ଶ୍ରୀ କାହ୍ନୁ ଚରଣ ବେହେରା ଏବଂ ପଦ୍ମଶ୍ରୀ ପ୍ରଭାବକର ମହାରଣା ଡଃ ଚାନ୍ଦଙ୍କୁ ସମ୍ମାନିତ କଲେ । ମୁଖ୍ୟ ଅତିଥି ଭାବେ ତାଙ୍କ ଭାଷଣରେ ଡଃ ଚାନ୍ଦ ମା ବେଣିଧାରୀ ଯୁବକ ସଂଘକୁ ପ୍ରଶଂସା କଲେ ଏବଂ ଗ୍ରାମାଂଚଳରେ କ୍ରୀଡାର ବିକାଶ ପାଇଁ ଉତ୍ସାହିତ କଲେ । ଗ୍ରାମୀଣ ଭାରତର ଭବିଷ୍ୟତ ବହୁତ ଉଜ୍ଜ୍ୱଳ ଏବଂ ଗ୍ରାମୀଣ ବଜାର ବ୍ୟାପାର ଜଗତରେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ବୋଲି ସେ ତାଙ୍କ ବକ୍ତବ୍ୟରେ ପ୍ରକାଶ କଲେ । କ୍ରୀଡା ଓ ଖେଳ ଆଉ କେବଳ ଅବସର ବିନୋଦନ ହୋଇ ରହିନାହିଁ, ଏହା ବୋହୁ ଲୋକମଙ୍କର ଜୀବିକାରେ ପରିଣତ ହେଲାଣି । ଗ୍ରାମ ଯୁବକମାନଙ୍କ ବ୍ୟକ୍ତିତ୍ୱର ପୂର୍ଣ୍ଣ ବିକାଶ ପାଇଁ ଗ୍ରାମୀଣ କ୍ରୀଡା ହିଁ ମୂଳମନ୍ତ୍ର । ବିଜେତା ଓ ଅଂଶଗ୍ରହଣକାରୀଙ୍କୁ ପୁରସ୍କାର ଦିଆଯିବା ପରେ କ୍ରୀଡା ସମାରୋହ ସମାପ୍ତ ହୋଇଥିଲା ।