ଗିରଫ ହେବେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କ ଉପରେ ଗାଡ଼ି ମଡ଼ାଇବା ଘଟଣାରେ ଗିରଫ ହେବେ। ତାଙ୍କ ବିରୋଧରେ ହତ୍ୟା ଉଦ୍ୟମ ଦଫା ଲଗାଯାଇଥିବା ନେଇ ଶନିବାର କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି। ଅପରପକ୍ଷେ ଘଟଣାପରେ ଅଞ୍ଚଳରେ ଶାନ୍ତି ବଜାୟ ରଖିବାକୁ ବାଣପୁରରେ ୧୪୪ ଧାରା ଜାରି କରାଯାଇଛି।

ଆଇଜି କହିଛନ୍ତି, ବିଧାୟକ ଜଗଦ୍ଦେବଙ୍କୁ ଆଗକୁ ଯିବାକୁ ପୋଲିସ ବାରଣ କରିଥିଲା। ବାଣପୁର ଆଇଆଇସି ତାଙ୍କ ଗାଡ଼ି ସମ୍ମୁଖରେ ଛିଡ଼ା ହୋଇଥିଲେ। ହେଲେ ପୋଲିସ କଥା ମାନି ନ ଥିଲେ ବିଧାୟକ। ସେ ପୋଲିସ ଏବଂ ଉପସ୍ଥିତ ଜନସାଧାରଣଙ୍କ ଉପରେ ଗାଡ଼ି ଚଢ଼ାଇବାକୁ ଉଦ୍ୟମ କରିଥିଲେ। ଏବେ ବିଧାୟକ ନିଜେ ମଧ୍ୟ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସୁସ୍ଥ ହେବା ପରେ ତାଙ୍କୁ ଗିରଫ କରାଯିବ। ଯେତେ ଶୀଘ୍ର ସେ ସୁସ୍ଥ ହେବେ ସେତେ ଶୀଘ୍ର ତାଙ୍କୁ ଗିରଫ କରାଯିବ। ତାଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି। ବହୁ ଲୋକ ଏହି ଦୃଶ୍ୟର ରେକର୍ଡିଂ କରିଛନ୍ତି। ସେଗୁଡ଼ିକ ତଦନ୍ତ ପରିସରଭୁକ୍ତ କରାଯିବ। ଜଣେ ଡିଏସ୍‌ପିସ୍ତରର ଅଧିକାରୀ ଘଟଣାର ତଦନ୍ତ କରିବେ।

ଏହାଛଡ଼ା ଜଗଦ୍ଦେବଙ୍କ ବିରୋଧରେ ହତ୍ୟା ଉଦ୍ୟମ ଦଫା ଲଗାଯାଇଛି। ସେ ତାଙ୍କ କାରକୁ ଅସ୍ତ୍ର ଭାବେ ବ୍ୟବହାର କରିଥିଲେ। ସେହିଭଳି ପୁଲିସ ଓ ଜନସାଧାରଣଙ୍କୁ ଆଘାତ ଦେବା ଦଫା ବି ଲଗାଯାଇଛି। ଏହି ଘଟଣାରେ ୬ ସାଧାରଣ ଲୋକ ଆହତ ହୋଇଥିବା ବେଳେ ୧୦ ପୋଲିସ କର୍ମଚାରୀ ଓ ୨ ଖବରଦାତା ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଘଟଣା ପରେ ବାଣପୁର ସହରରେ ୧୪୪ ଧାରା ଜାରି କରାଯାଇଛି। ସା ୬ଟା ପରଠାରୁ ସହରର କୌଣସି ସ୍ଥାନରେ ୫ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ କାର୍ଯ୍ୟାଳୟରେ ଶନିବାର ଅଧ୍ୟକ୍ଷ ନିର୍ବାଚନ ଥିବା ଯୋଗୁ ଭାଜପାର କର୍ମୀମାନେ ଏକ ବଡ଼ ଶୋଭାଯାତ୍ରା କରୁଥିଲେ। ବ୍ଲକ ସମ୍ମୁଖରେ ଭାଜପାର ହଜାରରୁ ଊର୍ଦ୍ଧ୍ୱ କର୍ମୀ ପହଞ୍ଚିଥିବା ବେଳେ ଜଗଦ୍ଦେବ ସେହି ଶୋଭାଯାତ୍ରାରେ ପ୍ରବେଶ କରିବାକୁ ପ୍ରୟାସ କରୁଥିଲେ। କର୍ମୀମାନେ ତାଙ୍କୁ ନ ଛାଡ଼ିବାରୁ ସେ ନିଜ ଗାଡ଼ିକୁ ଜୋର୍‌ରେ ଗଡ଼ାଇଦେଇଥିଲେ। ଏଥିରେ ବାଣପୁର ଆଇଆଇସିଙ୍କ ସମେତ ଅନେକ ଲୋକ ଆହତ ହୋଇଥିଲେ। ଏହା ପରେ ଲୋକେ ବିଧାୟକଙ୍କୁ ଗାଡ଼ିରୁ ଟାଣି ଆଣି ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରି ଦେଇଥିଲେ। ଏପରିକି ତାଙ୍କ ଗାଡ଼ିକୁ ଉତ୍ତ୍ୟକ୍ତ ଲୋକେ ଭାଙ୍ଗିରୁଜି ସେଥିରେ ନିଆଁ ଲଗାଇ ଦେଇଥିଲେ।