ଗିରଫ ହେବେ ଇମ୍ରାନ ଖାନ !

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମୁସ୍କିଲ ଏବେ ବଢିବାରେ ଲାଗିଛି । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ଥିତି ଏମିତି ଯେ ଯେକୌଣସି ମୂହୁର୍ତ୍ତରେ ଗିରଫ ହୋଇପାରନ୍ତି । ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ବିରୋଧରେ ବିଭିନ୍ନ ନାରା ଦେବା ମାମଲାରେ ଇମ୍ରାନ ଖାନଙ୍କ ସମେତ ୧୫୦ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି ।

କ୍ଷମତାସୀନ ପାର୍ଟି ପିଏମ୍ଏଲ୍-ଏନ୍‌ ଅଭିଯୋଗ କରିଛି ଯେ, ଯାହା କିଛି ବି ହେଉଛି ସେଥିପାଇଁ କେବଳ ଇମ୍ରାନ ଖାନ ହିଁ ଦାୟୀ । ତାଙ୍କ ଇଶାରାରେ ହିଁ ସବୁକିଛି ହେଉଛି ।

ପାକିସ୍ତାନର ଗୃହମନ୍ତ୍ରୀ ରାଣା ସନାଉଲ୍ଲାହ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ମଦୀନାରେ ବିଭିନ୍ନ ନାରାବାଜି ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରାଯିବ । ଆଇନ ଅନୁଯାୟୀ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସୂଚନା ଥାଉକି, ସାଉଦୀର ମଦୀନାରେ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ ଏବଂ ତାଙ୍କ ପ୍ରତିନିଧିମଣ୍ଡଳ ବିରୁଦ୍ଧରେ ‘ଚୋର୍-ଚୋର୍’ ନାରା ଲଗାଯାଇଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଇଙ୍ଗିତରେ ଏ ସମସ୍ତ ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ପାକ୍‌ ଗୃହମନ୍ତ୍ରୀ ।

ଗତ ଶନିବାର ଦିନ ପାକିସ୍ତାନର ଫୈସଲାବାଦରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ଅଧ୍ୟକ୍ଷ ଇମ୍ରାନ ଖାନଙ୍କ ସମେତ ତାଙ୍କ ସରକାରରେ ମନ୍ତ୍ରୀ ରହିସାରିଥିବା ଫଓ୍ବାଦ ଚୌଧୁରୀ ଏବଂ ଶେଖ ରସିଦ, ପୂର୍ବତନ ଡେପୁଟି ସ୍ପିକର କାସିମ୍‌ ସୁରୀ, ଇମ୍ରାନ ଖାନଙ୍କ ସହଯୋଗୀ ଅନିଲ ମୁସରତ ଏବଂ ସାହିବଜାଦା ଜାହାଙ୍ଗୀରଙ୍କ ସମେତ ଅନ୍ୟ ୧୫୦ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ ଏଭଳି ନାରା ଦେଇ ମସଜିଦକୁ ଇମ୍ରାନ ଖାନ ଏବଂ ତାଙ୍କ ସମର୍ଥନ ଅପବିତ୍ର କରିଥିବା କହିଛନ୍ତି ନଇମ୍‌ ଭଟ୍ଟୀ । ଶୁଣିବାକୁ ମିଳୁଛି ପାକ୍‌ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍‌ ଏବଂ ତାଙ୍କ ମନ୍ତ୍ରୀମଣ୍ଡଳକୁ ଟାର୍ଗେଟ୍‌ କରିବା ପାଇଁ ପାକିସ୍ତାନ ଏବଂ ବ୍ରିଟେନରୁ ପାକିସ୍ତାନୀ ନାଗରିକଙ୍କୁ ସାଉଦୀ ପଠାଯାଇଥିଲା । ପ୍ରାୟ ୧୦୦ରୁ ଅଧିକ ଇମ୍ରାନ ସମର୍ଥକ ଏଭଳି କାଣ୍ଡ ଭିଆଇଥିଲେ ।