ଖଣି ସଚିବ ପୂଜା ସିଂଘଲ ସସପେଣ୍ଡ

ଝାଡଖଣ୍ଡର ବିବାଦୀୟ ଆଇଏଏସ ତଥା ଖଣି ସଚିବ ପୂଜା ସିଂଘଲ ସସପେଣ୍ଡ ହୋଇଛନ୍ତି । ତାଙ୍କୁ ନିଲମ୍ବନ କରାଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ମନରେଗା ସହ ବିଭିନ୍ନ ଦୁର୍ନୀତି ଅଭିଯୋଗରେ ଗତକାଲି ପୂଜାଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଗତକାଲି ରାତିରେ ତାଙ୍କୁ ଗିରଫ ପରେ ରାଞ୍ଚିର ର୍ବିସାମୁଣ୍ଡା ଜେଲକୁ ପଠାଇ ଦିଆଯାଇଛି । ଇଡି ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ଅଧିକ ପଚରା ଉଚରା କରିବ ବୋଲି ସୂଚନା ମିଳିଛି ।

ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗତକାଲି ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୨୦୦୦ ବ୍ୟାଚ୍‌ର ଝାଡ଼ଖଣ୍ଡ କ୍ୟାଡର IAS ପୂଜା ସିଙ୍ଘଲଙ୍କ ନାଁରେ ମନରେଗା ଅର୍ଥ ହେରଫେର ନେଇ ଅଭିଯୋଗ ଥିଲା । ମଙ୍ଗଳବାର ପୂଜାଙ୍କୁ ୯ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା । ଜେରା ବେଳେ ମନରେଗା ଅର୍ଥ ହେରଫେର ପଛରେ ତାଙ୍କର ହାତ ଥିବା ଜାଣିବାକୁ ପାଇଥିଲା ଇଡି । ପୂର୍ବରୁ ପୂଜାଙ୍କ ଝାଡ଼ଖଣ୍ଡ ଘର ସମେତ ପରିବାର ଏବଂ ସମ୍ପର୍କୀୟଙ୍କ ୧୮ଟି ସ୍ଥାନରେ ଏକାସଙ୍ଗେ ରେଡ୍ କରିଥିଲା ଇଡି । ପୂଜାଙ୍କ ଅତି ନିକଟତର ସହଯୋଗୀଙ୍କ ଘରେ ରେଡ୍ ବେଳେ ଇଡିକୁ ୧୯ କୋଟି ୩୧ ଲକ୍ଷ ଟଙ୍କା ମିଳିଥିଲା ।

ସୂଚନାଯୋଗ୍ୟ, ପୂଜା ସିଂଘଲଙ୍କ ଘରରେ ଇଡି ରେଡ୍‌ କଲା ବେଳେ, ପୁଳା ପୁଳା ଟଙ୍କା ଦେଖିବାକୁ ପାଇଥିଲା । ଯୁଆଡ଼େ ଚାହିଁଲେ ଖାଲି ଟଙ୍କା ବିଡ଼ା । ଏତେ ଟଙ୍କା ଯେ ଏହାକୁ ଗଣିବା ପାଇଁ ଲୋକ କମ୍‌ ପଡ଼ିଲେ । ଶେଷରେ ଟଙ୍କା ଗଣିବା ପାଇଁ ମେସିନ୍‌ ଏବଂ ଅଧିକ ଲୋକ ଡକାଯାଇଥିଲା । ଗତ ଶୁକ୍ରବାର ଭୋର ୫ଟାରୁ ରେଡ୍‌ ହୋଇଥିଲା । ରେଡ୍‌ ବେଳେ ପାଖାପାଖି ୧୯ କୋଟି ଟଙ୍କା ଜବତ ହୋଇଛି । ୨୦୦୮-୧୧ ମସିହାରେ ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲାରେ ମନରେଗା ପାଣ୍ଠିରୁ ୧୮ କୋଟିରୁ ଅଧିକ ଟଙ୍କା ହେର୍‌ଫେର୍‌ ମାମଲାକୁ ନେଇ ଇଡି ଚଢ଼ଉ କରିଥିଲା ।

ସବୁଠାରୁ ବଡ଼ କଥା, ପୂଜାଙ୍କ ଅତି ନିକଟତର ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ଙ୍କ ଘରୁ ରେଡ୍‌ ବେଳେ ଯେତିକି ଟଙ୍କା ମିଳିଛି, ତାହା ତଦନ୍ତକାରୀ ଟିମ୍‌କୁ ତାଜୁବ କରିଦେଇଛି । ରାଞ୍ଚିସ୍ଥିତ ପୂଜାଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ ଘରୁ ୧୭ କୋଟି ଟଙ୍କା ଜବତ ହୋଇଛି । ବିଡ଼ା ବିଡ଼ା ନୋଟ୍, ପୁଳା ପୁଳା ଟଙ୍କାକୁ ଗଣିବା ପାଇଁ ଅଧିକ ସଂଖ୍ୟକ କର୍ମଚାରୀଙ୍କୁ ଡକା ଯାଇଥିଲା । ମେସିନ ବି ଆସିଥିଲା । ତା’ପରେ ଆରମ୍ଭ ହୋଇଥିଲା ଟଙ୍କା ଗଣା । ଘଣ୍ଟା ଘଣ୍ଟା ଧରି ଗଣତି ଚାଲିଥିଲା । ଏହାସହ ଅନ୍ୟ ସ୍ଥାନରୁ ରେଡ୍‌ ବେଳେ ୧ କୋଟି ୮୦ ଲକ୍ଷ ଟଙ୍କା ଜବତ ହୋଇଛି ।

ପୂଜାଙ୍କ ସ୍ୱାମୀ ଅଭିଷେକ ଝା’ଙ୍କ ପ୍ଲସ୍ ହସପିଟାଲ ଉପରେ ବି ଇଡି ଚଢାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡି ଏହି ରେଡ୍ କରିଥିଲା । ଖଣି ଲିଜ୍‌ରେ ଅନିୟମିତତା ଏବଂ ମନରେଗାରେ ୧୮ କୋଟି ଟଙ୍କାର ଦୁର୍ନୀତି ମାମଲାରେ ସେକ୍ସନ ଅଫିସର ରାମ ବିନୋଦ ସିହ୍ନାଙ୍କୁ ପଚରାଉଚରା ବେଳେ IAS ଅଧିକାରୀ ପୂଜା ସିଂଘଲଙ୍କ ନାଁ ସାମ୍ନାକୁ ଆସିଥିଲା । ଜଣେ ବରିଷ୍ଠ IAS ଅଧିକାରୀଙ୍କ ଘରେ ରେଡ୍‌ ବେଳେ କୋଟି କୋଟି ଟଙ୍କା ମିଳିବା ନେଇ ଝାଡଖଣ୍ଡରେ ହଇଚଇ ସୃଷ୍ଟି ହୋଇଛି ।