କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲା; ଆଉ ୩ ଦିନ ବଢ଼ିଲା ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ଅଭିଯୁକ୍ତଙ୍କ ବଢ଼ିଲା ରିମାଣ୍ଡ ଅବଧି । ପୂର୍ବରୁ ଚାନ୍ଦବାଲି କୋର୍ଟରେ କ୍ରାଇମ୍‌ବ୍ରାଞ୍ଚ ୧୦ ରିମାଣ୍ଡ ମାଗିଥିବା ବେଳେ କୋର୍ଟ ୫ ଦିନର ଅନୁମତି ଦେଇଥିଲେ । ଗତକାଲି ପ୍ରଥମ ରିମାଣ୍ଡ ଅବଧି ସରିଥିବା ବେଳେ ଆଜି କୋର୍ଟରେ ପୁଣି ଆବେଦନ କରିଥିବା କ୍ରାଇମ୍‌ବ୍ରାଞ୍ଚ ।

କୋର୍ଟ ଏହାର ବିଚାର କରି ପୁଣି ୩ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିବା ଜଣାପଡ଼ିଛି । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ସମେତ ନିରଞ୍ଜନ ସେଠୀ, ଝୁନା ଭୋଇ ଏବଂ ରଞ୍ଜନକୁ ପୁଣି ପଚରାଉଚରା କରିବ କ୍ରାଇମ୍‌ବ୍ରାଞ୍ଚ ।

ଆଜି ଅଭିଯୁକ୍ତଙ୍କୁ ଚାନ୍ଦବାଲି କୋର୍ଟରେ ହାଜର କରଥିଲା କ୍ରାଇମବ୍ରାଞ୍ଚ । ଏହା ପୂର୍ବରୁ ଆଜି କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଅଭିଯୁକ୍ତମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହା ପରେ ୪ ଅଭିଯୁକ୍ତଙ୍କୁ ଚାନ୍ଦବାଲି ନେଇଥିଲା କ୍ରାଇମବ୍ରାଞ୍ଚ । ଘଟଣାର ଅଧିକ ଖୁଲାସା ପାଇଁ ଅଭିଯୁକ୍ତଙ୍କୁ ପୁଣି ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ। ହେଲେ କୋର୍ଟ ୩ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ।

ତେବେ ପୂର୍ବରୁ ୫ ଦିନିଆ ରିମାଣ୍ଡ ସମୟରେ ଠୋସ୍ ପ୍ରମାଣ ଏକାଠି କରିବା ସହ ଅଭିଯୁକ୍ତଙ୍କୁ କ୍ରାଇମ ସ୍ପଟକୁ ନେଇ ସିନ୍ ରିକ୍ରିଏସନ କରିଥିଲା କ୍ରାଇମବ୍ରାଞ୍ଚ। ଚାନ୍ଦବାଲି ପଳାଶପୁର ଅପହରଣ ସ୍ଥାନ, ହତ୍ୟାକାଣ୍ଡ ସ୍ଥାନ ଦୟାଲ ଆଶ୍ରମ, ମୃତଦେହ ପୋତିବା ସ୍ଥାନ ରଣପୁରର ବଧିପାଟଣାରେ କ୍ରାଇମ ସିନ ରିକ୍ରିଏସନ କରାଯାଇଛି। ମାନସଙ୍କୁ କିଭଳି ହତ୍ୟା କରାଯାଇଥିଲା ? ତା’ର ତଥ୍ୟ ପ୍ରମାଣ ପାଇଥିଲା ତଦନ୍ତକାରୀ ଟିମ୍। କ୍ୟାମେରା ମ୍ୟାନ୍ ମାନସ ସ୍ବାଇଁଙ୍କୁ ଅପହରଣ ଠାରୁ ହତ୍ୟା ଏବଂ ମୃତଦେହ ପୋତିବା, ଏ ସମସ୍ତ ଯୋଜନାରେ ଶର୍ମିଷ୍ଠାଙ୍କ ସହ ସାମିଲ ଥିଲେ ନିରଞ୍ଜନ ସେଠୀ। ତାଙ୍କର ଡାଇରେକ୍ସନରେ ହିଁ ଚାଲିଥିଲା ପୂରା କ୍ରାଇମ ପ୍ଲଟ୍।