କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି: ସପ୍ତମ କମିଶନ ହାରରେ ଲାଗୁ ହେବ ମହଙ୍ଗା ଭତ୍ତା ସହ କର୍ମଚାରୀଙ୍କ ହାଉସ୍ ରେଣ୍ଟ

ନୂଆଦିଲ୍ଲୀ: କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ବିଦେଶରୁ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗତକାଲି ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକ, ସପ୍ତମ ବେତମ କମିଶନରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ମହଙ୍ଗା ଭତ୍ତା ସହ କର୍ମଚାରୀଙ୍କ ହାଉସ୍ ରେଣ୍ଟ ବା ଘରଭଡ଼ା ଅନୁପାତରେ ବଢ଼ିବ । ମହଙ୍ଗା ଭତ୍ତା ୨୫ ପ୍ରତିଶତରେ ପହଞ୍ଚିଲେ, ହାଉସ୍ ରେଣ୍ଟ ଯଥାକ୍ରମେ ୨୭, ୧୮ ଓ ୯ ପ୍ରତିଶତ ହେବ । ସେହିଭଳି ମହଙ୍ଗା ଭତ୍ତା ୫୦ ପ୍ରତିଶତ ହେଲେ ହାଉସ୍ ରେଣ୍ଟ୍ ୩୦, ୨୦ ଓ ୧୦ ପ୍ରତିଶତ ହୋଇଯିବ । ସପ୍ତମ ବେତନ କମିଶନ, ତିନି ଶ୍ରେଣୀର କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ହାଉସ୍ ରେଣ୍ଟ୍ ଯଥାକ୍ରମେ ୨୪, ୧୬ ଓ ୮ ପ୍ରତିଶତ ବଢାଇବାକୁ ଅନୁମୋଦନ କରିଥିଲେ । ନୂଆ ଭତ୍ତା ଓ ପେନସନ୍ ଜୁଲାଇ ପହିଲା ୨୦୧୭ରୁ ଲାଗୁ ହେବ । ବେତନ ସଂଶୋଧନ କ୍ଷେତ୍ରରେ କମିଶନଙ୍କ ୩୪ଟି ସୁପାରିଶକୁ ମଞ୍ଜୁରୀ କରିଛି କେନ୍ଦ୍ର କ୍ୟାବିନେଟ୍ । ସିଆଚୀନରେ ମୁତୟନ ଯବାନଙ୍କ ଭତ୍ତା ୩୧ ହଜାର ୫ ଶହରୁ ବଢାଇ ୪୨ ହଜାର ୫ ଶହ ଟଙ୍କା କରି ଦିଆଯାଇଛି । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁଯାୟୀ, ଏୟାର୍ ଇଣ୍ଡିଆରୁ ପୁଞ୍ଜି ପ୍ରତ୍ୟାହାର ପାଇଁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଏଥିପାଇଁ ନୀତି ଆୟୋଗର ଏକ ସ୍ୱତନ୍ତ୍ର କମିଟି ନିଷ୍ପତ୍ତି ନେବ ବୋଲି କ୍ୟାବିନେଟ୍ କହିଛି । ଏୟାର୍ ଇଣ୍ଡିଆ ଓ ତାର ୫ଟି ସହଭାଗୀ କଂପାନିର ସ୍ଥିତିକୁ ଦେଖି ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତି ନେବ ନୀତି ଆୟୋଗର ସ୍ୱତନ୍ତ୍ର କମିଟି