କେନ୍ଦ୍ରରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା; ପୁଣି ରାମ ନବମୀଠାରୁ ଗଡ଼ିବ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ

କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା। କରୋନା ଯୋଗୁ ଦୀର୍ଘଦିନ ଧରି ବନ୍ଦ ଥିବା ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ ରାମ ନବମୀଠାରୁ ପୁଣି ଗଡ଼ିବ।ଏହି ଟ୍ରେନ ଚଳାଚଳ କଲେ ଅନୁଗୁଳ, ତାଳଚେର ଓ ସମ୍ବଲପୁର ଯାତାୟାତ କରିବା ସହଜ ହୋଇଯିବ। ପୁରୀ, ଭୁବନେଶ୍ୱର ଓ କଟକର ଲୋକମାନେ ସହଜରେ ଓ କମ୍ ସମୟରେ ସମ୍ବଲପୁର ଯାଏଁ ଯାତ୍ରା କରିପାରିବେ।

ଶନିବାର ସମ୍ବଲପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଓଡ଼ିଶାର ବିଧାୟକମାନେ ରେଳମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ ଏହି ଟ୍ରେନ ଚଳାଚଳ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

କରୋନା ସଂକ୍ରମଣ ଯୋଗୁ ଦେଶର ଅଧିକାଂଶ ଯାତ୍ରୀବାହୀ ଟ୍ରେନ ଚଳାଚଳ ବନ୍ଦ ଥିଲା। ଏବେ ସଂକ୍ରମଣ କମିବା ପରେ ଆଂଶିକ ଭାବେ କେତେକ ଟ୍ରେନ ଗଡୁଛି। ଏଣୁ ଅନୁଗୁଳ- ସମ୍ବଲପୁର ଲାଇନରେ ଯାତାୟାତ କରୁଥିବା ଟ୍ରେନ ଗୁଡିକୁ ମଧ୍ୟ ପୁଣି ସ୍ୱାଭାବିକ କରିବାକୁ ବିଧାୟକମାନେ ଦାବି କରିଥିଲେ। ପଶ୍ଚିମାଞ୍ଚଳର ଲୋକେ ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ଭୁବନେଶ୍ବର ଓ ବିଶାଖାପାଟଣା ଉପରେ ଅଧିକ ନିର୍ଭର କରୁଥିବାରୁ ସମ୍ବଲପୁରରୁ ବିଶାଖାପାଟଣାକୁ ଏକ ସ୍ୱତନ୍ତ୍ର ଏକ୍ସପ୍ରେସ ଟ୍ରେନ୍ ଚଳାଚଳ , କରିବା ପାଇଁ ଏ ଅବସରରେ ଦାବି କରାଯାଇଛି।

ସେହିପରି ବିଶାଖାପାଟଣା ଅମୃତସର ଏକ୍ସପ୍ରେସ ସପ୍ତାହକୁ ତିନି ଦିନ ଚାଲୁଛି। ଏହି ଟ୍ରେନ୍‌କୁ ପ୍ରତିଦିନ ଚଲାଇବା ପାଇଁ ମଧ୍ୟ ଦାବି ହୋଇଛି। ବିଧାୟକଙ୍କ ସମସ୍ତ ଦାବିକୁ ଗୁରୁତ୍ୱର ସହ ନେଇ ବିଚାର କରିବାକୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।