କଳିଙ୍ଗ ଷ୍ଟୁଡିଓ ଜମିରେ ସ୍ପୋର୍ଟସ କମ୍ପେକ୍ସ ନିର୍ମାଣ ପ୍ରସ୍ତାବକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ବିରୋଧ

ଭୁବନେଶ୍ବର : ଭୁବନେଶ୍ବର କଳିଙ୍ଗ ଷ୍ଟୁଡିଓ ଜମି ବିବାଦକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୟୁଟ୍ କରି ନିଜର ପତିକ୍ରିୟା ରଖିଛନ୍ତି । ଷ୍ଟୁଡିଓର ପୁନାରୁଦ୍ଧାର ପାଇଁ ଚିନ୍ତା ପ୍ରକଟ କରିଛନ୍ତି ଧର୍ମେନ୍ଦ୍ର । ଷ୍ଟୁଡିଓକୁ ନୂଆ ରୂପ ଦେବା ପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ସହ ବ୍ୟକ୍ତିଗତ ଭାବେ କଥା ହେବେ ବୋଲି ଟ୍ବିଟରେ ଉଲ୍ଲେଖ କରିଛନ୍ତି । ଏହାସହ ଷ୍ଟୁଡିଓ ପାଇଁ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିବି ବୋଲି ଟ୍ବିଟ ଜରିଆରେ ଧର୍ମେନ୍ଦ୍ର କହିଛନ୍ତି । ଓଡିଶା ସିନେମା ଓ କଳା ଜଗତର ଭିତ୍ତିଭୂମୀ କଳିଙ୍ଗ ଷ୍ଟୁଡିଓକୁ ପୁନାରୁଦ୍ଧାନ କରାଗଲେ କଳାକାରଙ୍କ ଆର୍ଥିକ ବିକାଶ ହୋଇପାରିବ ବୋଲି ସେ ଲେଖିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ, କଳିଙ୍ଗ ଷ୍ଟୁଡିଓ ସହ ରାଜ୍ୟର କଳାକାର ଓ କଳାପ୍ରେମୀ ମାନଙ୍କର ନିବିଡ ଭାବାବେଗର ସମ୍ପର୍କ ରହିଛି । ମହାବାତ୍ୟା ପରେ ଭାଙ୍ଗିରୁଜି ଯାଇଥିବା ଏହି ଷ୍ଟୁଡିଓର ପୁନଃରୁଦ୍ଧାର ନହେଲେ ମଧ୍ୟ ଏହି ଷ୍ଟୁଡିଓ ଓଡିଆ କଳା ଜଗତ ପାଇଁ ଏକ ଆତ୍ମପରିଚୟର ଚିହ୍ନ ଭାବରେ ରହିଆସିଛି । କେବଳ କଳାକାର ମାନଙ୍କର ପରିଚୟର ସାକ୍ଷୀ ନୁହେଁ, ଏହି ଷ୍ଟୁଡିଓକୁ ଆଧାର କରି ରାଜ୍ୟର କଳା ଜଗତର ହଜାର ହଜାର ପରିବାରର ଜୀବନଜୀବିକାର ସମ୍ବନ୍ଧକୁ ଓତପ୍ରୋତ ଭାବରେ ଜଡିତ କଲେ କଳା ଜଗତ ସହ ଜଡ଼ିତ ଦୁନିଆର ଆର୍ଥିକ ବିକାଶ ସମ୍ଭବ ହୋଇପାରିବ । ଶ୍ରୀ ପ୍ରଧାନ ଅହୁରି ମଧ୍ୟ କହିଛନ୍ତି ଯେ କଳିଙ୍ଗ ଷ୍ଟୁଡିଓକୁ ଓଡିଶାର ସିନେମା ଓ ମନୋରଞ୍ଜନ ଜଗତର ପ୍ରମୁଖ ଭିତ୍ତିଭୂମି ଭାବରେ ବଜାୟ ରଖିବା ପାଇଁ କଳା ଜଗତର ଭାବବେଗପୂର୍ଣ୍ଣ ଭାବନାକୁ ମୁଁ ଆନ୍ତରିକ ସମର୍ଥନ ଜ୍ଞାପନ କରୁଛି । କଳା ଜଗତ ଓ ରାଜ୍ୟ ସରକାରଙ୍କ ପ୍ରତି ସହଯୋଗୀ ହୋଇ ଏହି ଷ୍ଟୁଡିଓକୁ ନୂଆ ରୂପରେ ନୂଆ ସୁବିଧା ଓ ନୂଆ ଜ୍ଞାନ କୌଶଳ ସହ ଆଗାମୀ ଦଶନ୍ଧି ଦଶନ୍ଧି ଧରି ଓଡ଼ିଆ କଳା ଜଗତର ପରିଚୟ ରୂପରେ ଗଢିତୋଳିବା ପାଇଁ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ସହ ବ୍ୟକ୍ତିଗତ ଭାବେ କଥାହେବି । କେନ୍ଦ୍ର ସରକାରଙ୍କୁ ଏହି ଷ୍ଟୁଡିଓ ପାଇଁ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ପାଇଁ ଅନୁରୋଧ କରିବି । ତେବେ ୧୯୯୯ ମହାବାତ୍ୟା ପରେ କଳିଙ୍ଗ ଷ୍ଟୁଡିଓ ଭାଙ୍ଗିରୁଜି ଯାଇଛି । ଏହା ଭିତରେ ଥିବା ଖାଲି ଯାଗାରେ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ କରିବାକୁ ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଲେଖିଛି କ୍ରୀଡା ବିଭାଗ । କଳିଙ୍ଗ ଷ୍ଟୁଡିଓରେ ଆବଶ୍ୟକତା ଠାରୁ ଅଧିକ ଜମି ରହିଛି । ସେହି ଜମିରେ ସ୍ପୋର୍ଟସ୍ କମ୍ପଲେକ୍ସ ନିର୍ମାଣ ପାଇଁ କ୍ରୀଡା ବିଭାଗ ପ୍ରସ୍ତାବ ଦେଇଛି । ଯାହାକୁ ନେଇ ସବୁ ସ୍ତରରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।