କର୍ମଚାରୀଙ୍କ ଦରମା କାଟ ବନ୍ଦ କଲା ଏୟାର ଇଣ୍ଡିଆ

ଟାଟା ଗ୍ରୁପ ଅଧିନକୁ ଫେରିଆସିଥିବା ଏୟାର ଇଣ୍ଡିଆ ନିଜ କର୍ମଚାରୀଙ୍କୁ ଖୁବ ଶୀଘ୍ର ପୂର୍ଣ୍ଣ ଦରମା ଦେବା ଆରମ୍ଭ କରିବ । ଚଳିତ ମାସରୁ କମ୍ପାନି ପକ୍ଷରୁ ଏହା କରାଯିବ । ତେବେ ପର୍ଯ୍ୟାୟ କ୍ରମେ ଏହାକୁ ଲାଗୁକରାଯିବ । କୋଭିଡ ମହାମାରୀ ସମୟରେ ବିମାନସେବା ବନ୍ଦ ହେବା ପରେ ଏୟାର ଇଣ୍ଡିଆ ପକ୍ଷରୁ ନିଜ କର୍ମଚାରୀଙ୍କ ଦରମା ୫୫ ପ୍ରତିଶତ ପର‌୍ୟ୍ୟନ୍ତ କାଟ କରାଯାଇଥିଲା ।

ଆଜି କମ୍ପାନି ପକ୍ଷରୁ ଏକ ବୟାନ ଜାରି କରି କୁହାଯାଇଛି ଯେ, ମହାମାରୀ ଶେଷ ହେବା ଆରମ୍ଭ କରିଥିବାବେଳେ ବିମାନସେବା କ୍ଷେତ୍ର ପୁଣିଥରେ ଅଭିବୃଦ୍ଧି ପଥକୁ ଫେରିଛି ଓ ପ୍ରଦର୍ଶନରେ କେତେକ ଆଖିଦୃଷ୍ଟିଆ ପରିବର୍ତ୍ତନ ଆସିଛି । ଏଣୁ ଆମେ ପର୍ଯ୍ୟାୟକ୍ରମେ ସବୁ କର୍ମଚାରୀଙ୍କ ଦରମା କାଟ ବନ୍ଦ କରି ପୂର୍ଣ୍ଣ ଦରମା ପ୍ରଦାନ ଆରମ୍ଭ କରିବୁ। ପାଇଲଟମାନଙ୍କର ଉଡାଣ ଭତ୍ତା ୩୫ ପ୍ରତିଶତ କାଟ କରାଯାଉଥିବାବେଳେ ଏବେ ତାହାକୁ ୧୫ ପ୍ରତିଶତକୁ ହ୍ରାସ କରାଯାଇଛି । ସେହିପରି କାବିନ କ୍ରିଉଙ୍କ ଉଡାଣ ଭତ୍ତା ୧୫ ପ୍ରତିଶତ କାଟ କରାଯାଉଥିବାବେଳେ ତାହାକୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି । ଗତ ଜାନୁଆରି ମାସରେ କେନ୍ଦ୍ର ସରକାର ଏୟାର ଇଣ୍ଡିଆକୁ ଟାଟା ଗ୍ରୁପକୁ ହସ୍ତାନ୍ତର କରିଥିଲେ । ଫଳରେ ଦୀର୍ଘ ୬୯ ବର୍ଷ ପରେ ପୁଣି ଥରେ ଏୟାରଇଣ୍ଡିଆ ଟାଟା ଗ୍ରୁପ ଅଧିନକୁ ଆସିଥିଲା । ଗତ ବର୍ଷ ଅକ୍ଟୋବର ମାସରେ ଟାଟା ଗ୍ରୁପ ୧୮ ହଜାର କୋଟି ବିନିମୟରେ ଏୟାର ଇଣ୍ଡିଆ ନିଲାମ ଜିତିଥିଲା ।