ଓଡିଶାରେ ୧୪ ହଜାର ୫୨୩ କୋଟି ଟଙ୍କାର ପ୍ରକଳ୍ପର ଉପହାର ଦେଇ ବିକାଶର ବାର୍ତା ଦେଲେ ମୋଦି

ଭୁବନେଶ୍ବର : ଓଡିଶାରୁ ହେଉଛି ପୂର୍ବଦ୍ବୟର ବିକାଶ । ପୁରା ପୂର୍ବ ଭାରତର ବିକାଶ କିଭଳି ବିଜେପି ରାଡାରରେ ଅଛି ସେହି ବାର୍ତା ଦେବାକୁ ବିଜେପିର ପ୍ରୟାସ । ସେଥିପାଇଁ ଆଜି ମୋଦି ଓିଡିଶା ଗସ୍ତରେ ଆସି ୧୪ ହଜାର ୫୨୩ କୋଟି ଟଙ୍କାର ପ୍ରକଳ୍ପର ଉପହାର ଦେଇଛନ୍ତି । ନିର୍ବାଚନ ଆଉ ମାତ୍ର ୩ ରୁ ୪ ମାସ ଥିବାବେଳେ ମୋଦିଙ୍କ ଏଭଳି ବିକାଶ ମନ୍ତ୍ର ବିଜେପିର ଫୋକସ ଓଡିଶାକୁ ଦୋହରାଇଛି।

ଓଡିଶା ମିଶନରେ ମୋଦି । ନିର୍ବାଚନ ପୂର୍ବରୁ ବିକାଶର ବାସ୍କେଟ ନେଇ କ୍ରିସ୍ ମାସରେ ସାନ୍ତା ବନିବାର ପ୍ରୟାସ କରିଛନ୍ତି ପ୍ରଧାନମନ୍ତ୍ରୀ। ଆଜି ଓଡିଶା ଗସ୍ତରେ ଥିବା ମୋଦି ୧୪ ହଜାର ୫୨୩ କୋଟି ଟଙ୍କାର ପ୍ରକଳ୍ପର ଉପହାର ଦେଇଛନ୍ତି । ଅରଗୁଳ ଆଇଆଇଟି କ୍ୟାମ୍ପସର ଲୋକାର୍ପଣ କରିବା ସହ ପାରାଦ୍ବୀପ –ହାଇଦ୍ରାବାଦ ପାଇପଲାଇନ ଓ ବୋକାରୋ-ଅନୁଗୁଳ ଗ୍ୟାସ ପାଇପଲାଇନର ଶିଳାନ୍ୟାସ କରିଛନ୍ତି । ଅନେକ ଜାତୀୟ ରାଜପଥର ପ୍ରଶସ୍ତି କରଣ ପାଇଁ ଭୂମିପୂଜନ ହୋଇଛି । ଲଳିତଗିରିରେ ପ୍ରତ୍ନତାତ୍ବିକ ସଂଗ୍ରହାଳୟ, ପାଇକ ବିଦ୍ରୋହର ସ୍ମାରକ ମୁଦ୍ରା ଓ ଡାକ ଟିକେଟ୍ ଜାରିକରିଛନ୍ତି ପ୍ରଧାନମନ୍ତ୍ରୀ । ସେହିଭଳି ଭୁବନେଶ୍ବର ଥିବା ଇଏସଆଇ ହସ୍ପିଟାଲରେ ୫୦ ରୁ ୧୦୦ ଶଯ୍ୟା ବିଶିଷ୍ଟ କରାଯିବାକୁ ଲୋକାର୍ପଣ କରାଯାଇଛି । ନିର୍ବାଚନ ପୂର୍ବରୁ ଓଡିଶା ପାଇଁ କେବଳ ଭାଷଣ ନଦେଇ ଠୋସ୍ ବିକାଶ କାର‌୍ୟ୍ୟକ୍ରମକୁ ଗୁରୁତ୍ବ ଦେଇଛନ୍ତି ମୋଦି । କହିଛନ୍ତି ପୂର୍ବଭାରତର ବିକାଶ ପାଇଁ କେନ୍ଦ୍ରର ବିଜେପି ସରକାର ପ୍ରତିଶୃତିବଦ୍ଧ ।

ମୋଦି  :

ଓଡିଶାର ଯୁବକ ମାନଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି
ଓଡିଶା ହେବ ପେଟ୍ରୋଲିୟମ୍ ହବ୍
ସଂଗ୍ରହାଳୟ ବିଦେଶୀ ରିସର୍ଚ୍ଚରଙ୍କୁ ଆକର୍ଷିତ କରିବ

ତେବେ ଏସବୁ ଲୋକାର୍ପଣ ଓ ଉଦଘାଟନ ଭିତରେ ସାମ୍ନାକୁ ଆସିଥିଲା ବରୁଣେଇ ନିକଟରେ ବକ୍ସି ଜଗବନ୍ଧୁ ସ୍ମାରକୀ ପାଇଁ ଜାଗା ନମିଳିବାକୁ ନେଇ ଟଣା ଓଟରା ପ୍ରସଙ୍ଗ । ସେଠାରେ ୧୯୦ କୋଟିର ଏକ ସ୍ମାରକୀ ଗଠନ କରିବାକୁ କେନ୍ଦ୍ର ସରକାର ଅର୍ଥ ମଞ୍ଜୁର କରିସାରିଛନ୍ତି। କିନ୍ତୁ ରାଜ୍ୟ ସରକାର ଜାଗା ଦେଉନଥିଲେ ବୋଲି ଅଭିଯୋଗ କରୁଥିଲା ବିଜେପି । ଆଜି କିନ୍ତୁ ଉଦଘାଟନି ଉତ୍ସବରେ ଉପସ୍ଥିତ ମୁଖ୍ୟମନ୍ତ୍ରୀ ଏଥିପାଇଁ ଜାଗା ଦିଆଯିବ ବୋଲି ଘୋଷଣା କରିଛନ୍ତି । ସେହିପରି ନବୀନ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ପାଇଁ ଦାବି କରିଥିଲେ। ଏହାସହ ପ୍ରଧାନମନ୍ତ୍ରୀ ଯେଉଁ ସବୁ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ତାକୁ ତ୍ବରାନ୍ବିତ କରିବାକୁ ରାଜ୍ୟ ସରକାର ସହଯୋଗ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ।
ମୋଦିଙ୍କ ଆଜିର ଓଡିଶା ଗସ୍ତର ପୂରା ଫୋକସ ଥିଲା ବିକାଶ ଉପରେ । ରାଜନୀତି ଅପେକ୍ଷା ରାଜ୍ୟର ବିକାଶକୁ ବିଜେପି ଅଧିକ ଗୁରୁତ୍ବ ଦେଉଛି ବୋଲି ଏଭଳି ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି ମୋଦି ।