ଓଡିଶାରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା,ଏନସଜି ଟିମର ବୈଠକ

ଭୁବନେଶ୍ୱର : ଓଡିଶାରେ ବି ହୋଇପାରେ ଆତଙ୍କବାଦୀ ଆକ୍ରଣ । ବିଶେଷକରି ଧାର୍ମିକ ପୀଠ ଗୁଡିକୁ ଆସୁଥିବା ଯାତ୍ରୀଙ୍କ ଉପରେ ଆକ୍ରମଣର ଭୟ ଅଧିକ ରହିଛି । ନିକଟରେ ଜାମ୍ମୁ-କାଶ୍ମୀରେ ଅମରନାଥ ଯାତ୍ରୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ଓଡିଶାରେ ଏହି ଆଶଙ୍କା ଦେଖାଦେଇଛି । ଯଦି ଏଭଳି ସ୍ଥିତି ହୁଏ ତେବେ କିପରି ମୁକାବିଲା କରାଯିବ ସେନେଇ ଓଡିଶାରେ ଆରମ୍ଭ ହୋଇଛି ସାମ୍ଭାବ୍ୟ ପ୍ରସ୍ତୁତି । ଏ ନେଇ ଜାତୀୟ ସୁରକ୍ଷା ବାହିନୀ(ଏନ୍ଏସଜି)ର ଏକ ଉଚ୍ଚସ୍ତରୀୟ ପ୍ରତିନିଧିଦଳ ଓଡ଼ିଶାରେ ପହଞ୍ଚିଛି। ପୁରୀ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ଏବଂ ବିମାନବନ୍ଦର, ବିଧାନସଭା, ସଚିବାଳୟ ଭଳି ପ୍ରତିଷ୍ଠାନ ଉପରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣକୁ କିପରି ପ୍ରତିହତ କରାଯିବ ସେ ନେଇ ଆଜି ଏନ୍ଏସ୍ଜି ଆଇଜି ଓ ଓଡ଼ିଶା ପୁଲିସ ଡିଜିଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆତଙ୍କବାଦୀ ଆକ୍ରମଣ ହେଲେ ଓଡ଼ିଶା ପୁଲିସ କିପରି ତୁରନ୍ତ ମୁକାବିଲା କରି ପାରିବ ସେ ସମ୍ପର୍କରେ ଏବଂ ଆଉ କିଛି ଗୁରୁତ୍ୱପୂର୍ଣ ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଥିଲା ବୋଲି ଏନ୍ଏସ୍ଜି ଆଇଜି ଶଶାଙ୍କ କୁମାର ମିଶ୍ର କହିଛନ୍ତି।

ବୁଧବାର ଏହି ବୈଠକ ସମ୍ପର୍କରେ ଏନ୍ଏସଜି କିମ୍ବା ଓଡ଼ିଶା ପୁଲିସ ଗଣମାଧ୍ୟମକୁ ସିଧାସଳଖ କୌଣସି ବୟାନ ଦେଇ ନ ଥିଲେ ମଧ୍ୟ ଏହି ବୈଠକ ଦେଶ ତଥା ରାଜ୍ୟର ସୁରକ୍ଷା ପାଇଁ ଅନେକ ଗୁରୁତ୍ୱପୂର୍ଣ ବୋଲି କୁହାଯାଉଛି। ତେବେ ଏନ୍ଏସ୍ଜି ଆଇଜି ଶ୍ରୀ ମିଶ୍ର କହିଥିଲେ ଯେ ଆମେ ଏବେ ଆତଙ୍କବାଦୀଙ୍କ ସହିତ ଲଢ଼ିବାକୁ ଯେ କୌଣସି ସ୍ଥାନରେ ଓ ଯେ କୌଣସି ପରିସ୍ଥିତିରେ ପ୍ରସ୍ତୁତ ଅଛୁ। ଏନ୍ଏସ୍ଜି ଆଇଜିଙ୍କ ଏଭଳି କଥା ପରୋକ୍ଷରେ ସୂଚନା ଦେଉଛି ଯେ ଓଡ଼ିଶା ଏବେ ଆତଙ୍କବାଦୀଙ୍କ ଟାର୍ଗେଟ୍ରେ। ଅମରନାଥ ଯାତ୍ରୀଙ୍କ ଉପରେ ଆକ୍ରମଣ ଓ ଗ୍ୟାଙ୍ଗଷ୍ଟର ଛୋଟା ରାଜନ୍ର ସହଯୋଗୀଙ୍କ ଚେର ଓଡ଼ିଶା ପର୍ୟ୍ୟନ୍ତ ଲମ୍ବି ଥିବା ଜଣାପଡ଼ିବା ପରେ ଏଭଳି ବୈଠକ ଅନେକ ସୂଚନା ଦେଉଛି। ଏହାଛଡ଼ା ଗତକାଲି ବିଳମ୍ବିତ ରାତିରେ ଏନ୍ଏସ୍ଜି ଟିମ୍, କମିସନରେଟ୍ ପୁଲିସ, ଆତଙ୍କବାଦୀ ନିରୋଧ ସ୍କ୍ଵାଡ୍ ଇନ୍ଫୋସିଟି ଥାନା ଅଞ୍ଚଳରେ ଥିବା ଏକ ପ୍ରତିଷ୍ଠାନରେ ହଠାତ୍ ମକ୍ଡ୍ରିଲ୍ କରିଥିଲେ। ଯାହାର ତିଳେ ମାତ୍ର ସୁରାକ ଗଣମାଧ୍ୟମ କିଭଳି ନ ପାଇବ ସେ ନେଇ ମଧ୍ୟ ଯୋଜନା ପ୍ରସ୍ତୁତ ହୋଇଥିଲା।

ଆଗାମୀ ଦିନରେ ଭୁବନେଶ୍ୱର ବିମାନବନ୍ଦର, ରେଳଷ୍ଟେସନ୍, ଲିଙ୍ଗରାଜ ମନ୍ଦିର, ପୁରୀ, ସଚିବାଳୟ, ବିଧାନସଭାରେ ମଧ୍ୟ ଓଡ଼ିଶା ପୁଲିସ ସହିତ ମିଶି ଏନ୍ଏସଜି ମକଡ୍ରିଲ୍ କରିବ। ଏନ୍ଏସଜିର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ଏନ୍ଏସଜିର ୟୁନିଟ ଓଡ଼ିଶାରେ ନାହିଁ। ତେବେ ଓଡ଼ିଶାରେ କୌଣସି ପ୍ରତିଷ୍ଠାନ ଉପରେ ଆତଙ୍କବାଦୀ ଆକ୍ରମଣ ହେଲେ ତାର ମୁକାବିଲା ପାଇଁ ମୁମ୍ବାଇ ଓ ଦିଲ୍ଲୀରୁ ଏନ୍ଏସ୍ଜି ଆସୁ ଆସୁ ବହୁ ବିଳମ୍ବ ହୋଇ ଯିବ। ତେଣୁ ରାଜ୍ୟରେ ଥିବା ଆତଙ୍କବାଦ ନିରୋଧୀ ସ୍କ୍ଵାଡ୍କୁ ଏ ଦିଗରେ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ତେବେ ଏ ସମ୍ପର୍କରେ ରାଜ୍ୟ ପୁଲିସ ଡିଜି କେବି ସିଂହ କହିଛନ୍ତି, ଏହା ଏକ ନିୟମିତ ବୈଠକ ଥିଲା। ଏଥିରେ ଗୁଇନ୍ଦା ତଥ୍ୟର ଆଦାନ ପ୍ରଦାନ, କାଉଣ୍ଟର ଟେରୋରିଷ୍ଟ ଆଟାକ୍ ଓ ସୁରକ୍ଷା ସମ୍ପର୍କିତ ଆଲୋଚନା ହୋଇଥିଲା।