ଏହି ୨ ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଉପରୁ ହଟିଲା କଟକଣା

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଅନେକ ରାଜ୍ୟ କରୋନା କଟକଣା କୋହଳ କରିବା ଆରମ୍ଭ କରିଛନ୍ତି। ସବୁ କିଛି ପୂର୍ବାବସ୍ଥାକୁ ଫେରିବାରେ ଲାଗିଛି। ଏହାରି ଭିତରେ ଗୁରୁବାର ଦିଲ୍ଲୀ ଏବଂ ମହାରାଷ୍ଟ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି ।

ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ନିଷ୍ପତ୍ତି ଅନୁଯାୟୀ ଏଣିକି ସାର୍ବଜାନୀନ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ ।

ସର୍ବସାଧାରଣ ସ୍ଥାନରେ ମାସ୍କ ନ ପିନ୍ଧିଲେ ମଧ୍ୟ କୌଣସି ଜରିମାନା ଦେବାକୁ ପଡିବ ନାହିଁ । ପୂର୍ବରୁ ରାଷ୍ଟ୍ରୀୟ ରାଜଧାନୀରେ ମାସ୍କ ପିନ୍ଧି ନଥିବା ବ୍ୟକ୍ତିଙ୍କୁ ୫୦୦ ଟଙ୍କା ଜରିମାନା ଦେବାକୁ ପଡ଼ୁଥିଲା।

ଗୁରୁବାର ଦିଲ୍ଲୀ ଉପ ରାଜ୍ୟପାଳ ଅନୀଲ ବୈଜଳଙ୍କ ଅଧ୍ୟକ୍ଷତାରେ ଡିଡିଏମର ବୈଠକରେ ହୋଇଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଭିଡିଓ କନଫରେନ୍ସିଂ ଜରିଆରେ ଏଥିରେ ଯୋଗ ଦେଇଥିଲେ। ବୈଠକରେ ଦିଲ୍ଲୀରେ କରୋନା ସ୍ଥିତି ଏବଂ ଟିକାକରଣ ଅଭିଯାନ ଉପରେ ସମୀକ୍ଷା କରାଯାଇଥିଲା। ଏହାପରେ ମାସ୍କ ନ ପିନ୍ଧିବା ଉପରେ କୌଣସି କଟକଣା ଆଦାୟ କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି ।

ମହାରାଷ୍ଟ୍ର ସରକାର ମଧ୍ୟ ଏହିପରି ଏକ ନିଷ୍ପତ୍ତି ନେଇଛନ୍ତି। ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଘୋଷଣା କରି କହିଛନ୍ତି, ଏଣିକି ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ। ତେବେ ଏହାସହ ସେ ଲୋକଙ୍କୁ ସତର୍କ ରହିବା ସହ ମାସ୍କ ପିନ୍ଧିବାକୁ ଅପିଲ କରିଛନ୍ତି । ଏହାସହ ଏପ୍ରିଲ ୨ ତାରିଖରୁ ସମସ୍ତ କରୋନା କଟକଣା ହଟିବାକୁ ଉଦ୍ଧବ ସରକାର ନିଷ୍ପତ୍ତି ନେଇଥିବା କ୍ୟାବିନେଟ ବୈଠକ ପରେ ସୂଚନା ଦେଇଛନ୍ତି ମହାରାଷ୍ଟ୍ରର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ।