ଏହି ଦେଶରେ କାଗଜ କିଣିବାକୁ ପଇସା ନଥିବାରୁ ରଦ୍ଦ ହେଲା ବାର୍ଷିକ ପରୀକ୍ଷା

ସ୍ୱାଧୀନତା ପରେ ଶ୍ରୀଲଙ୍କାରେ ଦେଖାଦେଇଛି ଘୋର ଆର୍ଥିକ ସଙ୍କଟ । ଅବସ୍ଥା ଏତେ ଜଟିଳ ହୋଇଛି ଯେ, କାଗଜ କିଣିବାକୁ ପଇସା ନାହିଁ । ଫଳରେ ଦେଶର ବିଦ୍ୟାଳୟ ମାନଙ୍କରେ ହେବାକୁ ଥିବା ବାର୍ଷିକ ପରୀକ୍ଷାକୁ ରଦ୍ଦ କରିଛନ୍ତି ସରକାର । ପରୀକ୍ଷା କେବେ ହେବ ସେନେଇ ଏବେଯାଏଁ କୌଣସି ସୂଚନା ଦିଆଯାଇନାହିଁ ।

ପଡୋଶୀ ଦେଶ ଶ୍ରୀଲଙ୍କାରେ ଘୋର ଆର୍ଥିକ ସଙ୍କଟ ଦେଖାଦେଇଛି । ଦେଶରେ ପେପର କିଣିବାକୁ ଅର୍ଥ ନାହିଁ । ଫଳରେ ଦେଶରେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କର ପରୀକ୍ଷା ରଦ୍ଦ କରାଯାଇଛି । ଅଧିକାରୀଙ୍କ କହିବା ମୁତାବକ, ବାହାରୁ ପେପର୍ ଆମଦାନୀ କରିବାକୁ ଶ୍ରୀଲଙ୍କା ସରକାରଙ୍କ ପାଖରେ ଅର୍ଥ ନାହିଁ । ଶିକ୍ଷା ଅଧିକାରୀଙ୍କ ସୂଚନା ମୁତାବକ, ମାର୍ଚ୍ଚ ୨୧ ତାରିଖରେ ସ୍କୁଲ ଛାତ୍ରଛାତ୍ରୀଙ୍କର ଟର୍ମ ପରୀକ୍ଷା ହେବାର ଥିଲା । କିନ୍ତୁ ଦେଶରେ ପେପରର ଘୋର ଅଭାବ ଯୋଗୁଁ ପରୀକ୍ଷାକୁ ଅନିଶ୍ଚିତ କାଳ ପାଇଁ ରଦ୍ଦ କରିଦିଆଯାଇଛି ।

୧୯୪୮ରେ ସ୍ୱାଧୀନତା ପାଇବା ପରେ ଏହା ହେଉଛି ଶ୍ରୀଲଙ୍କାର ସବୁଠୁ ବଡ ଆର୍ଥିକ ସଙ୍କଟ । ଦେଶର ପଶ୍ଚିମ ପ୍ରାନ୍ତ ଶିକ୍ଷା ଅଧିକାରୀଙ୍କ କହିବା ମୁତାବକ, ଦେଶରେ ବିଦେଶୀ ମୁଦ୍ରା ନାହିଁ । ଫଳରେ ପେପର ଓ କାଳି ବାହାରୁ ଆମଦାନୀ କରିହେଉନାହିଁ । ଯେଉଁଥିପାଇଁ ଅଧିକାଂଶ ସ୍କୁଲର ପ୍ରିନ୍ସିପାଲ ପରୀକ୍ଷା ଆୟୋଜନ କରିପାରୁନାହାଁନ୍ତି । ଏହି କାରଣରୁ ଶ୍ରୀଲଙ୍କାର ଦୁଇ ତୃତୀୟାଂଶ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଛନ୍ତି ।

ସର୍ଭେ ଅନୁସାରେ, ଶ୍ରୀଲଙ୍କାରେ ମୋଟ ୪୫ ଲକ୍ଷ ସ୍କୁଲ ଛାତ୍ରଛାତ୍ରୀ ଅଛନ୍ତି । ଶ୍ରୀଲଙ୍କାରେ ଟେଷ୍ଟ ହିଁ ଅନ୍ତିମ ପରୀକ୍ଷା ଯାହା ଆଧାରରେ ଛାତ୍ରଛାତ୍ରୀ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତିର୍ଣ୍ଣ ହୁଅନ୍ତି । ହେଲେ ବିଦେଶୀ ମୁଦ୍ରା ଅଭାବରୁ ପେପର୍ ହେଉ
କି କାଳି କିଛି ବି କିଣାଯାଇପାରୁନଥିବାରୁ ଏହି ପରୀକ୍ଷାକୁ ସ୍ଥଗିତ କରିଦିଆଯାଇଛି । କେବଳ ପରୀକ୍ଷା ନୁହେଁ ବିଦେଶୀ ମୁଦ୍ରାର ଅଭାବ ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀକୁ ଆମଦାନୀ କରିପାରୁନାହାଁନ୍ତି ଶ୍ରୀଲଙ୍କା ସରକାର । ଶ୍ରୀଲଙ୍କାର ସବୁଠୁ ବଡ ମହାଜନ ସାଜିଥିବା ଚୀନକୁ ଆର୍ଥିକ ସାହାଯ୍ୟ ପାଇଁ ଶ୍ରୀଲଙ୍କା ରାଷ୍ଟ୍ରପତି ଗୁହାରୀ କରିଥିଲେ ବି ଚୀନ ପକ୍ଷରୁ ଏନେଇ କିଛି ବି ପ୍ରତିକ୍ରିୟା ମିଳିନାହିଁ ।

କରଜରେ ବୁଡିଛି ଶ୍ରୀଲଙ୍କା । ସବୁଠୁ ଅଧିକ କରଜ ଚୀନ ଠାରୁ ନେଇଛି । ଦେଶ ଉପରେ ଏବେ ପାଖାପାଖି ୨.୨ କୋଟି ଡଲାରର ଋଣ ବୋଝ । ଦେଶର ଆର୍ଥିକ ସ୍ଥିତି ସୁଧାରିବାକୁ ତଥା ବିଦେଶି ମୁଦ୍ରା ଭଣ୍ଡାର ବଢାଇବାକୁ ଶ୍ରୀଲଙ୍କା ସରକାର ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ( ଆଇଏମଏଫ୍)କୁ ଅନୁରୋଧ କରିଥିଲେ । ଏନେଇ ଆଲୋଚନା କରିବାକୁ ମଧ୍ୟ ଆଇଏମଏଫ୍ ମୁଖ୍ୟ ଆଶ୍ୱାସନା ଦେଇଛନ୍ତି ।

ଶ୍ରୀଲଙ୍କାରେ ଏବେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ଯେ, ଖାଇବା ପିଇବା ପାଇଁ ଲୋକେ ନାହିଁନଥିବା ହଟହଟା ହେଉଛନ୍ତି । ଆବଶ୍ୟକୀୟ ସାମଗ୍ରୀ କିଣିବାକୁ ଦୋକାନ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି । ବିଜୁଳି ଯୋଗାଣ ହୋଇନପାରୁଥିବାରୁ ହଜାର ହଜାର ପରିବାର ଅନ୍ଧାର ଭିତରେ ରହୁଛନ୍ତି । ଏପରି ସ୍ଥିତିରେ ଆଇଏମଫର ସାହାଯ୍ୟ ହିଁ ଦେଶ ପାଇଁ ଏକମାତ୍ର ଭରଷା ।