ଏବେ ପିଞ୍ଜରାବଦ୍ଧ ଶୁଆ ନୁହେଁ ସିବିଆଇ

କେନ୍ଦ୍ର ଆଇନମନ୍ତ୍ରୀ କରେଣ ରିଜ୍ଜୁ ସିବିଆଇକୁ ନେଇ ରବିବାର ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଦେଶର ଶୀର୍ଷ ତଦନ୍ତକାରୀ ସଂସ୍ଥାନ ଏବେ ନିଜ କାମ ସଠିକ କରିପାରୁଛନ୍ତି। ଏକ ସମୟ ଥିଲା ଯେତେବେଳେ ସରକାରରେ ବସିଥିବା ଲୋକେ ଏହାକୁ ନିଜ ସ୍ୱାର୍ଥ ପାଇଁ ବ୍ୟବହାର କରୁଥିଲେ। ଯେଉଁଥି ପାଇଁ ଯାଞ୍ଚରେ ସମସ୍ୟା ମଧ୍ୟ ଉପୁଜୁଥିଲା।

ଅତୀତରେ ସିବିଆଇ ଅଧିକାରୀମାନଙ୍କୁ ଯେଉଁ ଆହ୍ୱାନର ସମ୍ମୁଖୀନ ହେବାକୁ ପଡୁଥିଲା ଏବେ ତାହା ଆଉ ଅସ୍ତିତ୍ୱରେ ନାହିଁ ବୋଲି ସେ କହିଛନ୍ତି।

ରବିବାର ରିଜ୍ଜୁ ଏକ ଟ୍ୱିଟ୍‌ କରିଥିବା ବେଳେ ସିବିଆଇ ଏବେ ପିଞ୍ଜରାବଦ୍ଧ ଶୁଆ ନୁହେଁ ବୋଲି ଉଲ୍ଲେଖ କରିଛନ୍ତି। ବରଂ ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥାନ ଭାବେ ନିଜର ଦାୟିତ୍ୱ ସଠିକ ନିର୍ବାହ କରିବାରେ ସକ୍ଷମ ହେଉଛି। ଏହି ଟ୍ୱିଟ୍‌ରେ ସେ ଶନିବାର ସିବିଆଇ ସମ୍ମିଳନୀକୁ କରିଥିବା ସମ୍ବୋଧନର ଏକ କ୍ଷୁଦ୍ର ଭିଡିଓ ମଧ୍ୟ ସେୟାର କରିଛନ୍ତି। ଏଥିରେ ତାଙ୍କ ଭାଷଣ ଥିବା ବେଳେ ଅତୀତରେ କିପରି ନ୍ୟାୟପାଳିକା ସିବିଆଇ ସମ୍ପର୍କରେ ମନ୍ତବ୍ୟ ଦେଇଥିଲେ ତାହା ମନେ ପକାଇଥିଲେ। ତେବେ ସିବିଆଇ ଦୀର୍ଘ ଯାତ୍ରା କରି ପରିସ୍ଥିତିରୁ ନିଜକୁ ବାହାରକୁ ଆଣିପାରିଛି ବୋଲି ରିଜ୍ଜୁ ଭାଷଣରେ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ୨୦୧୩ ମସିହାରେ କୋଲଗେଟ୍ ସ୍କାମ ଶୁଣାଣିରେ ସୁପ୍ରିମକୋର୍ଟ ସିବିଆଇକୁ ପିଞ୍ଜରାରେ ବନ୍ଦ ଶୁଆ ବୋଲି କହିଥିଲେ। ସେତେବଳେ ସର୍ବୋଚ୍ଚ ନ୍ୟାୟାଳୟ ଶୀର୍ଷ ତଦନ୍ତକାରୀ ସଂସ୍ଥାନଙ୍କ ସମ୍ପର୍କରେ ଦେଇଥିବା ମନ୍ତବ୍ୟ ଦେଶରେ ଶିରୋନାମା ପାଲଟିଥିଲା। ସେହିପରି ଗତ ୧ ଏପ୍ରିଲ ୨୦୨୨ରେ ୧୯ତମ ଡି.ପି.କୋହଲୀ ମେମୋରିଆଲ ଲେକଚରକୁ ସମ୍ବୋଧିତ କରି ସୁପ୍ରିମକୋର୍ଟଙ୍କ ପ୍ରଧାନ ନ୍ୟାୟାଧୀଷ ଏନ.ଭି.ରମନ୍ନା ସମୟ ବିତୁଥିବା ସହ ସିବିଆଇ ଏବେ ସାର୍ବଜନିକ ଯାଞ୍ଚ ପରିସରକୁ ଆସିଯାଇଥିବା କହିଥିଲେ।

କାରଣ କିଛି ମାମଲାରେ ସିବିଆଇଙ୍କ କାର୍ଯ୍ୟ ଓ ନିଷ୍କ୍ରିୟତା ତାଙ୍କର ବିଶ୍ୱାସନୀୟତା ଉପରେ ପ୍ରଶ୍ନ ଚିହ୍ନ ଲଗାଉଥିବାର ଜଷ୍ଟିସ୍ ରମନ୍ନା ସତର୍କ କରାଇଥିଲେ। ଉପୁଜିଥିବା ପରିସ୍ଥିତିରେ ଦେଶର ସବୁ ତଦନ୍ତକାରୀ ସଂସ୍ଥାନଙ୍କୁ ଗୋଟିଏ ଛାତ ତଳକୁ ଆଣି ଏକ ସ୍ୱତନ୍ତ୍ର ତଦନ୍ତ ସଂସ୍ଥାନ ସ୍ଥାପନାର ଆବଶ୍ୟକତା ନେଇ ମଧ୍ୟ କହିଥିଲେ। ଏଥିରେ ଏପରି ସଂସ୍ଥାରେ ନିଯୁକ୍ତ କର୍ମଚାରୀମାନେ ରାଜନୈତିକ ପୃଷ୍ଠପୋଷକତାରୁ ଦୂରରେ ରୁହନ୍ତୁ ବୋଲି କହିଥିଲେ। କାରଣ ରାଜନେତା ୫ ବର୍ଷ ପାଇଁ ନିର୍ବାଚିତ ହୋଇଆସିଥାନ୍ତି, କର୍ମଚାରୀ ଦୀର୍ଘ ୩୩ ବର୍ଷ ଦେଶକୁ ସେବା ଦେଇଥାନ୍ତି। ଏଥିପାଇଁ ଜଷ୍ଟିସ୍‌ ରମନ୍ନା ପୋଲିସର ଉଦାହରଣ ମଧ୍ୟ ଦେଇଥିଲେ।