ଏଥର କଡାକଡି ହେବ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା; ଆଜିରାତିରୁ ଜେଟିପି ସହ ମୁତୟନ ରହିବେ ପୁଲିସ କର୍ମଚାରୀ

ରୋଷଘରେ ଚୁଲି ଭଙ୍ଗା ଘଟଣା ପରେ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ଆଜି ରାତିରୁ ଶ୍ରୀମନ୍ଦିରରେ ଜେଟିପି ସହ ମୁତୟନ ରହିବେ ପୁଲିସ କର୍ମଚାରୀ। ଆଜି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏନେଇ ସୂଚନା ଦେଇଛନ୍ତି।

ଜିଲ୍ଲାପାଳ କହିଛନ୍ତି, ଶ୍ରୀମନ୍ଦିରରେ ଶୋଧ (ମନ୍ଦିର ପହଡ଼ ପଡ଼ିବା ପରେ କେହି ଏହା ପରିସରରେ ରହିଯାଇଥିଲେ, ତାଙ୍କୁ ବାହାର କରିବା କାମ) କାର୍ଯ୍ୟ ଜେଟିପି ମାନେ କରୁଥିଲେ।

କିନ୍ତୁ ଜେଟିପି ଷ୍ଟାଫ୍ କମ୍ ଥିବାରୁ ଆଜି ଠାରୁ ସେମାନଙ୍କ ସହିତ ପୁଲିସ୍ କର୍ମଚାରୀ ମିଶି ଶୋଧ କାର୍ଯ୍ୟ କରିବେ। ଯେତେ ଜଣେ ଜେଟିପି ରହିବେ ସେତେ ଜଣ ପୁଲିସ୍ କର୍ମଚାରୀ ବି ରହିବେ। ଜଣେ ପୁଲିସ୍ ଅଫିସର ସେମାନଙ୍କ କାର୍ଯ୍ୟ ତଦାରଖ କରିବେ। ଶୋଧ କାର୍ଯ୍ୟ ଠିକ୍ ଭାବେ କରାଯାଉଥିବା ନେଇ ପୁଲିସ୍ ଅଫିସର ଜଣଙ୍କ ସୁନିଶ୍ଚିତ କରିବେ।

ସେ କହିଛନ୍ତି, ପ୍ରାଥମିକ ସର୍ଭେ ପରେ ଶ୍ରୀମନ୍ଦିରର ବିଭିନ୍ନ ସ୍ଥାନରେ ୧୩୫ଟି ସିସିଟିଭି ଲଗାଇବା ପାଇଁ ପ୍ରସ୍ତାବ ଦିଆଯାଇଛି। ଏହି ସିସିଟିଭି ଓୟାରଲେସ୍‌ ହେବ। ରୋଷଘର ଗେଟ୍‌ରେ ୪ଟି ସ୍ଥାନ ଚିହ୍ନଟ କରାଯାଇଛି, ଯେଉଁଠି ସିସିଟିଭି ଲଗାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ଜିଲ୍ଲାପାଳ ଆହୁରି କହିଛନ୍ତି, ରୋଷଘରେ ସେଦିନ ଡ୍ୟୁଟିରେ ଥିବା ଜେଟିପିଙ୍କୁ ଶୋ-କଜ୍ ନୋଟିସ କରାଯାଇଥିଲା। ସେମାନେ ଶୋ-କଜ୍‌ର ଜବାବ ଦେଇଛନ୍ତି। ଜବାବ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ନିଆଯିବ।

ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଦୁର୍ଗା ପ୍ରସାଦ ମହାପାତ୍ର କହିଛନ୍ତି, ମହାପ୍ରଭୁଙ୍କ ଗୁପ୍ତ ନୀତିକାନ୍ତି ହେଉଥିବା ସ୍ଥାନକୁ ଛାଡ଼ି ମନ୍ଦିରର ଅନ୍ୟ ସବୁ ସ୍ଥାନରେ ୧୩୫ଟି ସିସିଟିଭି ଲଗାଇବାକୁ ନିଷ୍ପତ୍ତି ହୋଇଛି। ଯଦିଓ ଅତୀତରେ ବି ଶ୍ରୀମନ୍ଦିର ସିସିଟିଭି ସର୍ଭେଲାନ୍ସରେ ରହିଥିଲା, ତେବେ ନିୟମିତ ବ୍ୟବଧାନରେ ତା’ର ଯାଞ୍ଚ ହେଉ ନଥିଲା। କିନ୍ତୁ ଏବେ ପୂରା ୨୪ ଘଣ୍ଟା ମନିଟର କରାଯିବ। ଏଥିପାଇଁ ଏକ କଣ୍ଟ୍ରୋଲ୍ ରୁମ୍ ରହିବ। ମନ୍ଦିର ସୁରକ୍ଷା ପ୍ରଶାସକ ଏହା ଦାୟିତ୍ୱରେ ରହିବେ। ଆଉ ସବୁ ଫିଡ୍ ରାଜ୍ୟ ପୁଲିସ୍‌କୁ ଦିଆଯିବ।

ସୂଚନାଯୋଗ୍ୟ, ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଏହି ବୈଠକରେ ପୁରୀ ଏସ୍‌ପି, ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ, ନୀତି ପ୍ରଶାସକ, ଉନ୍ନୟନ ପ୍ରଶାସକ ଓ ପରିଚାଳନା କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ।