ଏକବିଂଶ ଶତାବ୍ଦୀରେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଅଗ୍ରଣୀ ବିଶ୍ୱବିଦ୍ୟାଳୟ କରିବା ପାଇଁ ପ୍ରସ୍ତୁତ ଯୋଜନାକୁ କ୍ରିୟାନ୍ୱୟନ କରାଯାଉ – ଧର୍ମେନ୍ଦ୍ର ପ୍ରଧାନ

ଉତ୍କଳ ବିଶ୍ୱବିଦ୍ୟାଳୟର ୭୮ତମ ପ୍ରତିଷ୍ଠା ଦିବସରେ ଆଲୁମିନି ଭର୍ଚୁଆଲ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍‌ବୋଧନ

ଭୁବନେଶ୍ୱର :  ବିଗତ ଦିନ ମାନଙ୍କରେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଅଗ୍ରଣୀ ବିଶ୍ୱବିଦ୍ୟାଳୟ କରିବାର ଯେଉଁ ପ୍ରଚେଷ୍ଟା ରହିଛି ତାହାକୁ ଏକବିଂଶ ଶତାବ୍ଦୀରେ ମଧ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କ ସହଯୋଗରେ ହୋଇଥିବା ପ୍ରସ୍ତୁତ ଯୋଜନାକୁ କ୍ରିୟାନ୍ୱୟନ କରିବାର ଆବଶ୍ୟକତା ରହିଛି ବୋଲି ଶୁକ୍ରବାର ଉତ୍କଳ ବିଶ୍ୱବିଦ୍ୟାଳୟର ୧୮ତମ ପ୍ରତିଷ୍ଠା ଦିବସ ଅବସରରେ ବିଶ୍ୱବିଦ୍ୟାଳୟର ଆଲୁମିନି ପକ୍ଷରୁ ଆୟୋଜିତ ଭର୍ଚୁଆଲ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି ଅବସରରେ ଶ୍ରୀ ପ୍ରଧାନ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ପାଇଥିବା ପ୍ରଫେସର ସବିତା ଆଚାର୍ଯ୍ୟ ଏବଂ ଉତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ପାଇଥିବା ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଫେସର କିଶୋର ବାସାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଏକବିଂଶ ଶତାବ୍ଦୀ ଜ୍ଞାନ ଆଧାରିତ ଶତାବ୍ଦୀ । ଉତ୍କଳ ବିଶ୍ୱବିଦ୍ୟାଳୟକୁ ବଡ କରିବାର ଦାୟିତ୍ୱ ବର୍ତମାନ ଠାରୁ ସମସ୍ତ ପୁରୁଣା ଏବଂ ନୂତନ ଛାତ୍ରଛାତ୍ରୀଙ୍କ ମିଳିତ ଉଦ୍ୟମରେ ହେବା ଦରକାର । ଏହି ପରିପ୍ରେକ୍ଷୀରେ ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଙ୍କୁ ଡା. ରମେଶ ପୋଖରିଆଲ ନିଶାଙ୍କଙ୍କୁ ପତ୍ର ଲେଖି ଅନୁରୋଧ କରିଥିବା ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ।

 ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ପତ୍ର ଲେଖିଥିବା କହିଲେ କେନ୍ଦ୍ରମନ୍ତ୍ରୀ
 ଉତ୍କଳ ବିଶ୍ୱବିଦ୍ୟାଳୟର ନବନିଯୁକ୍ତ କୁଳପତିଙ୍କୁ ଶୁଭେଚ୍ଛା ଜଣାଇଲେ
 ଅନେକ ସଫଳ ବ୍ୟକ୍ତିତ୍ୱଙ୍କର ଲମ୍ବା ତାଲିକାର ଆଦିଭୂମି ହେଉଛି ଉତ୍କଳ ବିଶ୍ୱବିଦ୍ୟାଳୟ
 ବିଶ୍ୱ ନେତୃତ୍ୱ ନେବାର ଦକ୍ଷତା ଓଡ଼ିଆ ଲୋକଙ୍କ ପାଖରେ ରହିଛି
 ଏକବିଂଶ ଶତାବ୍ଦୀରେ ଓଡ଼ିଆ ଜାତିକୁ ସାମଗ୍ରିକ ଦୃଷ୍ଟିକୋଣରୁ ବଡ଼ କରିବା ଆବଶ୍ୟକ
ସେ ଆହୁରି କହିଛନ୍ତି ଯେ ଓଡିଶାର ସମାଜ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଅନ୍ତରାଷ୍ଟ୍ରୀୟ ସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଅନେକ ସଫଳ ବ୍ୟକ୍ତିତ୍ୱଙ୍କର ଲମ୍ବା ତାଲିକାର ଆଦିଭୂମି ହେଉଛି ଉତ୍କଳ ବିଶ୍ୱବିଦ୍ୟାଳୟ । ଅନେକ ଛାତ୍ରଛାତ୍ରୀଙ୍କ ଜୀବନର ମୂଳଦୁଆକୁ ଦୃଢ଼ କରିବାରେ ଏହି ବିଶ୍ୱବିଦ୍ୟାଳୟର ଭୂମିକା ଅତୁଳନୀୟ । ସେ  କହିଛନ୍ତି ଯେ ବିଶ୍ୱ ନେତୃତ୍ୱ ନେବାର ଦକ୍ଷତା ଓଡ଼ିଆ ଲୋକଙ୍କ ପାଖରେ ରହିଛି । ଏକବିଂଶ ଶତାବ୍ଦୀରେ ଓଡ଼ିଆ ପିଲାଙ୍କୁ ବଡ଼ କରିବା ତଥା ଓଡ଼ିଆ ସମାଜ ଏବଂ ଓଡ଼ିଆ ଜାତିକୁ ସାମଗ୍ରିକ ଦୃଷ୍ଟିକୋଣରୁ ବଡ଼ କରିବା ଆମ ସମସ୍ତଙ୍କର ଦାୟିତ୍ୱ ହେବା ଆବଶ୍ୟକ ବୋଲି ଶ୍ରୀ ପ୍ରଧାନ ମତପୋଷଣ କରିଛନ୍ତି । ଉଲ୍ଲେଖନୀୟ ଯେ, ବର୍ତମାନର ମହାମାରୀ ସମୟରେ ଆଗାମୀ ଦିନର କାର୍ଯ୍ୟପନ୍ଥା ପ୍ରସ୍ତୁତ କରିବା ପାଇଁ ବିଶ୍ୱବିଦ୍ୟାଳୟ ସହ ଜଡ଼ିତ ଛାତ୍ରଛାତ୍ରୀ ମାନଙ୍କୁ ଡ଼ିଜିଟାଲ ମାଧ୍ୟମରେ ଏକାଠୀ କରିଥିବାରୁ ଶ୍ରୀ ପ୍ରଧାନ ବିଶ୍ୱବିଦ୍ୟାଳୟର ଆଲୁମିନିକୁ ଧନ୍ୟବାଦ ଜଣାଇଥିଲେ ।