ଉପ ବାଚସ୍ପତିଙ୍କୁ ଚାପୁଡ଼ା ମାରିଲେ ଇମ୍ରାନଙ୍କ ଦଳର ବିଧାୟକ

ବିଧାନସଭାରେ ଶନିବାର ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି । ରିପୋର୍ଟ ଅନୁଯାୟୀ ଇମରାନ ଖାନଙ୍କ ପାର୍ଟୀ ପାକିସ୍ତାନ ତହରିକ-ଏ-ଇନ୍ସାଫ୍(ପିଟିଆଇ) ସଦସ୍ୟ ପଞ୍ଜାବ ବିଧାନସଭାର ଉପ ବାଚସ୍ପତି ଦୋସ୍ତ ମୋହମ୍ମଦ ମଜାରୀଙ୍କ ସହ ମାରପିଟ୍ କରିଥିଲେ । ମଜାରୀ ମୁଖ୍ୟମନ୍ତ୍ରୀ ନିର୍ବାଚନ କରିବା ପାଇଁ ଡକାଯାଇଥିବା ଅଧିବେଶନରେ ଅଧ୍ୟକ୍ଷତା କରିବାକୁ ଯାଇଥିଲେ ।

ଏକ ରିପୋର୍ଟରେ କୁହାଯାଇଛି ଯେ ପିଟିଆଇର ସଦସ୍ୟ ମଜାରୀଙ୍କ ଉପରେ ଆକ୍ରମଣ କରିଥିଲେ ଏବଂ ସୁରକ୍ଷା କର୍ମୀଙ୍କ ଉପସ୍ଥିତିରେ ତାଙ୍କ ଚୁଟି ଧରି ଟାଣିଥିଲେ । ଆଉ ଘଟଣା ପରେ ମୋହମ୍ମଦ ମଜାରୀ ସଦନ ଛାଡ଼ି ପଳାଇଯାଇଥିଲେ ।

ସୂଚନା ଅନୁଯାୟୀ, ଶନିବାର ଲାହୋର ହାଇକୋର୍ଟଙ୍କ ଆଦେଶ ପରେ ଅଧିବେଶନ ଡକାଯାଇଥିଲା । ମୁଖ୍ୟମନ୍ତ୍ରୀ ନିର୍ବାଚନ ପାଇଁ ମୁକାବିଲା ପିଏମଏଲଏନ ର ହମଜା ସେହବାଜ ଏବଂ ପିଏମଏଲ-କ୍ୟୁ ର ଚୌଧୁରୀ ପରବେଜଙ୍କ ମଧ୍ୟରେ ହେବାର ଥିଲା । ପିଏମଏଲଏନର ହମଜା ସେହବାଜଙ୍କୁ ଅନ୍ୟ ଦଳର ସମର୍ଥନ ରହିଥିବାବେଳେ ପିଏଏମଏଲ-କ୍ୟୁର ଚୌଧୁରୀ ପରବେଜଙ୍କୁ ଇମ୍ରାନଙ୍କ ପିଟିଆଇର ସମର୍ଥନ ରହିଛି ।

ଆଉ ଏହି ସମୟରେ ପିଟିଆଇର ବିଧାୟକ ନିଜ ସହ ଲୋଟା (ଢାଳ) ଧରି ଆସିଥିଲେ ଏବଂ ଅଧିବେଶନ ଆରମ୍ଭ ହେବା ଠାରୁ ସେମାନେ ଲୋଟା ଲୋଟା ଚିଲେଇଥିଲେ । ପ୍ରକୃତରେ ପିଟିଆଇ ସେହି ସଦସ୍ୟଙ୍କୁ କଟାକ୍ଷ କରୁଥିଲା ଯେଉଁମାନେ ଇମ୍ରାନଙ୍କ ଦଳ ଛାଡ଼ି ବିରୋଧୀଙ୍କୁ ସମର୍ଥନ କରୁଥିଲେ । ଏହାପରେ ପିଟିଆଇ ସଦସ୍ୟ ଲୋଟା ଧରି ଡେପୁଟୀ ସ୍ପିକରଙ୍କ ଉପରକୁ ଫିଙ୍ଗିଥିଲେ ଏବଂ ତାଙ୍କ ସହ ମାରପିଟ୍ କରିଥିଲେ । ଇମ୍ରାନଙ୍କ ପାର୍ଟୀର ବିଧାୟକ ମୁହମ୍ମଦ ମଜାରୀଙ୍କ ଚୁଟି ଭିଡ଼ିବା ସହ ତାଙ୍କୁ ଚାପୁଡ଼ା ମଧ୍ୟ ମାରିଥିଲେ ।

‘ଡନ୍ ନ୍ୟୁଜ’ର ସାମ୍ବାଦିକା ଅବ୍ସା କୋମଲ ଟ୍ୱିଟ କରି କରିଥିଲେ ଯେ ଶେଷରେ ପଞ୍ଜାବ ବିଧାନସଭାରରେ ପିଟିଆଇ ହିଂସାର ସାହାରା ନେଇଛନ୍ତି । ଏହା ଦେଶ ପାଇଁ ତଥା ଗଣତନ୍ତ୍ର ପାଇଁ ଦୁଃଖଦ ।

ସୂଚନାଯୋଗ୍ୟ, ପାକିସ୍ତାନରେ ପ୍ରାୟ ୧ ମାସ ଧରି ଚାଲୁଥିବା ରାଜନୀତିକ ନାଟକରେ ଇମ୍ରାନ ଖାନ ୯ ଏପ୍ରିଲରେ ନାସନାଲ ଆସେମ୍ବଲିରେ ଅନାସ୍ଥା ପ୍ରସ୍ତାବରେ ହାରିଯାଇଥିଲେ ଏବଂ ପଦ ହରାଇଥିଲେ । ଯାହାପରେ ସେହବାଜ ସରିଫ୍ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ ।