ଇସ୍ତଫା ଦେଲେ ପାରଳାଖେମୁଣ୍ଡି ପୂର୍ବତନ ବିଜେଡି ବିଧାୟକ

ଭୁବନେଶ୍ୱର: ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ ବିଜୁ ଜନତା ଦଳରୁ ଟିକେଟ୍ ନମିଳିବାରୁ ପୂର୍ବତନ ବିଧାୟକ କେ ନାରାୟଣ ରାଓ ଇସ୍ତଫା ଦେଇଛନ୍ତି । ବିଭିନ୍ନ ଅଞ୍ଚଳରୁ ପ୍ରାୟ ଅଢେଇ ହଜାର କର୍ମୀ ଓ ପଞ୍ଚାୟତ ଲୋକ ପ୍ରତିନିଧିଙ୍କ ସହ ଆଲୋଚନା କରି ଇସ୍ତଫା ଦେଇଛନ୍ତି କେ. ନାରାୟଣ ରାଓ । ତେବେ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଥିବା ସୂଚନା। ଗତକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଗାମୀ ସାଧାରଣ ନିର୍ବାଚନ ପାଇଁ ୨ଟି ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ଏଥିରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଅଧିନରେ ଥିବା ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ ବିଜେଡି କଲ୍ୟାଣୀ ଗଜପତିଙ୍କୁ ଟିକେଟ୍ ଦେବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି କେ. ନାରାୟଣ ରାଓ । ତେଣୁ ଦଳରୁ ଇସ୍ତଫା ଦେଇଥିବା ମଧ୍ୟ କହିଛନ୍ତି କେ. ନାରାୟଣ ରାଓ । ୨୦୦୯ରେ ବିଜେଡିରୁ ଟିକେଟ୍ ପାଇଁ ଏହି ନିର୍ବାଚନ ମଣ୍ଡଳୀରେ ଲଢି ବିଜୟ ହୋଇଥିଲେ କେ. ନାରାୟଣ । ସେହିଭଳି ଗତ ୨୦୧୪ ନିର୍ବାଚନରେ ମଧ୍ୟ ଅଳ୍ପ ଭୋଟ ବ୍ୟବଧାନରେ କଂଗ୍ରେସର ପ୍ରାର୍ଥୀ କେ. ସୁର୍ଯ୍ୟା ରାଓଙ୍କ ଠାରୁ ପରାଜିତ ହୋଇଥିଲେ । ଏଥର ଟିକେଟ୍ ପାଇବାକୁ ଆଶାୟୀ ଥିଲେ ମଧ୍ୟ ଟିକେଟ୍ ମିଳିଲାନି ବୋଲି ଦଳ ଛାଡ଼ିଥିବା ସୂଚନା ।ରାଜ୍ୟରେ ଏପ୍ରିଲ୍ ୧୧ ଏବଂ ଏପ୍ରିଲ୍ ୧୮ ତାରିଖରେ ହେବାକୁଥିବା ୨ଟି ପର୍ଯ୍ୟାୟରେ ନିର୍ବାଚନ ପାଇଁ ବିଜେଡି ୯ ଲୋକସଭା ଏବଂ ୫୪ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ପରେ ବିଭିନ୍ନ କ୍ଷେତ୍ରରୁ ଟିକେଟ୍ ପାଇବାରୁ ବଞ୍ଚିତ ହୋଇଥିବା ପ୍ରାର୍ଥୀମାନେ ଅସନ୍ତୋଷ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି । ଏପରିକି ଦଳରୁ ଇସ୍ତଫା ଦେଇ ଏବେ ବିଜେଡି ପାଇଁ ସମସ୍ୟା ସୃଷ୍ଟି କରୁଥିବା ଚର୍ଚ୍ଚା ହେଉଛି ।