ଇମ୍ରାନ ଖାନଙ୍କ ସ୍ଥାନ ନେଇପାରନ୍ତି ସେହବାଜ୍‌ ସରିଫ୍‌

ପାକିସ୍ତାନରେ ରାଜନୈତିକ ସଙ୍କଟ ଚରମ ସୀମାରେ ପହଞ୍ଚିଛି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଆସନ ଯିବା ଏକ ପ୍ରକାର ସ୍ପଷ୍ଟ ହୋଇସାରିଲାଣି । ଏହାରି ମଧ୍ୟରେ ପାକିସ୍ତାନର ସମ୍ଭାବ୍ୟ ନୂଆ ପ୍ରଧାନମନ୍ତ୍ରୀଙ୍କୁ ନେଇ ଆରମ୍ଭ ହୋଇଗଲାଣି ଚର୍ଚ୍ଚା । ଇମ୍ରାନ ଖାନଙ୍କ ଚୌକି ଗଲେ ପିଏମ୍‌ ସିଟ୍‌ ରେ କିଏ ବସିବେ ସେ ନେଇ କଳ୍ପନାଜଳ୍ପନା ଚାଲିଛି ।ଏହାରି ମଧ୍ୟରେ ଚର୍ଚ୍ଚାକୁ ଆସିଛନ୍ତି ସେହବାଜ୍‌ ସରିଫ୍‌ ।

ଇମ୍ରାନ୍‌ ଖାନଙ୍କ ବିରୁଦ୍ଧରେ ପାକିସ୍ତାନ ସଂସଦରେ ସୋମବାର ଅବିଶ୍ବାସ ପ୍ରସ୍ତାବ ଆଗତ କରିଥିଲେ ସେହବାଜ୍‌ ସରିଫ୍‌ । ତେବେ ଯଦି ଅବିଶ୍ବାସ ପ୍ରସ୍ତାବରେ ଇମ୍ରାନ ଖାନ ପରାଜିତ ହୁଅନ୍ତି ତେବେ ନୂଆ ସରକାରର ନେତୃତ୍ବ ବିରୋଧୀ ଦଳ ନେତା ତଥା ପାକିସ୍ତାନ ମୁସଲିମ୍‌ ଲିଗ୍-ଏନ୍‌ (PML-N) ନେଇପାରନ୍ତି । ଏ ନେଇ ସୂଚନା ଦେଇଛନ୍ତି ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଅଧ୍ୟକ୍ଷ ବିଲାଓ୍ବଲ ଭଟ୍ଟି ।

ସେହବାଜ ସରିଫ୍‌ ହେଉଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ୍‌ । ଗତ ସୋମବାର ପାକିସ୍ତାନ ସଂସଦରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା । ବଡ କଥା ହେଉଛି ଇମ୍ରାନ ଖାନଙ୍କ ନିଜ ଦଳର ସଦସ୍ୟମାନେ ବି ପିଏମ୍‌ ଙ୍କ ଉପରେ ଖପ୍ପା । ଏହା ସହିତ ଇମ୍ରାନଙ୍କ ଦଳ ସହ ମେଣ୍ଟ କରିଥିବା ସଦସ୍ୟଙ୍କ ମଧ୍ୟରୁ ଅନେକ ଏବେ ବିରୋଧୀ ଶିବିରରେ । ତେଣୁ ଖାନ ସାହେବଙ୍କ ଆସନ ଯେ ଟଳମଳ ହେଉଛି ଏଥିରେ ଆଦୌ ସନ୍ଦେହ ନାହିଁ । ଏପରିକି ଇମ୍ରାନ ଖାନଙ୍କ ପ୍ରଧାନମନ୍ତ୍ରୀ ଆସନ ଯିବା ସ୍ପଷ୍ଟ ବୋଲି ଚର୍ଚ୍ଚା ହେଉଛି ।

୧୯୯୭ରେ ପ୍ରଥମ ଥର ପାଇଁ ପାକିସ୍ତାନର ପଞ୍ଜାବ ପ୍ରଦେଶ ମୁଖ୍ୟମନ୍ତ୍ରୀ ହୋଇଥିଲେ ସେହବାଜ୍‌ ସରିଫ୍‌ । ପରେ ୧୯୯୯ରେ ଜେନେରାଲ ପରଭେଜ ମୁଶରଫ କ୍ଷମତା ଦଖଲ ପରେ ୮ ବର୍ଷ ଧରି ସାଉଦି ଆରବରେ ନିର୍ବାସନରେ ରହିଥିଲେ ସେ । ସେହବାଜ ସରିଫ ଏବଂ ତାଙ୍କ ଭାଇ ୨୦୦୭ ମସିହାରେ ପାକିସ୍ତାନକୁ ଫେରିଥିଲେ। ୨୦୦୮ ସାଧାରଣ ନିର୍ବାଚନରେ ​​ଦଳର ବିଜୟ ପରେ ସେ ପୁନର୍ବାର ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୮ ନିର୍ବାଚନରେ ​​PML-N ଦଳର ପରାଜୟ ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ରହିଥିଲେ । ୨୦୧୮ ନିର୍ବାଚନ ପରେ ତାଙ୍କୁ ବିରୋଧୀ ଦଳ ନେତା ଭାବେ ମନୋନୀତ କରାଯାଇଥିଲା ।