ଇତିହାସ ରଚିଲା ବିଜେଡି; ପୋଛିନେଲା ପଞ୍ଚାୟତ ନିର୍ବାଚନରେ ସମସ୍ତ ସିଟ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଓ ନିର୍ମଳ ନେତୃତ୍ବକୁ ପଞ୍ଚାୟତ ନିର୍ବାଚନରେ ରାଜ୍ୟବାସୀ ମାରିଲେ ମୋହର । ଗାଁରେ ବିଜେଡିକୁ ମିଳିଲା ଐତିହାସିକ ବିଜୟ । ସ୍ବଚ୍ଛ ଓ ନିର୍ମଳ ଭାବମୂର୍ତ୍ତି ଥିବା ଉଚ୍ଚ ଶିକ୍ଷତ ଯୁବବର୍ଗଙ୍କ ଉପରେ ମୁଖ୍ୟମନ୍ତ୍ରୀ ଦେଖାଇ ଥିଲେ ଭରସା । ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଠିକ ବୋଲି ପ୍ରମାଣିତ କଲେ ଗାଁ ଭୋଟର ।

ଓଡିଶା ଇତିହାସରେ ପ୍ରଥମ ଥର ପାଇଁ ଏବଂ ବୋଧହୁଏ ସମଗ୍ର ଦେଶରେ କୌଣସି ଏକ ଆଞ୍ଚଳିକ ଦଳ ଭାବେ ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରିବାରେ ସଫଳ ହେଲା ବିଜେଡି ।

ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ ମୁଖ୍ୟମନ୍ତ୍ରୀ ଯୁବ, ଶିକ୍ଷିତ ତଥା ଦଳର ଦକ୍ଷ କର୍ମୀଙ୍କୁ ଜିଲ୍ଲା ପରିଷଦର ସଭାପତି ଭାବେ ମନୋନୀତ କରିଛନ୍ତି ଏବଂ ସେମାନଙ୍କୁ ନେତୃତ୍ବ ପ୍ରଦାନ ପାଇଁ ଦୀର୍ଘ ଦିନର ରଣନୀତିକ ଦୃଷ୍ଟିକୋଣରୁ ମନୋନୀତ କରିଛନ୍ତି । ସବୁଠାରୁ କନିଷ୍ଠ ଜିଲ୍ଲା ପରିଷଦ ସଭାପତି ଭାବରେ ମାତ୍ର ୨୩ ବର୍ଷ ବୟସ୍କା ସରସ୍ବତୀ ମାଝି ମନୋନୀତ ହୋଇଛନ୍ତି । ବିଏସସିରେ ସ୍ନାତକ ହାସଲ କରିଥିବା ଏହି ଯୁବତୀ ରାୟଗଡା ଜିଲ୍ଲାର ବିକାଶ କାର୍ଯ୍ୟର ନେତୃତ୍ବ ନେବେ ।

ଦୁର୍ଗମ ଅଞ୍ଚଳ ଉପରେ ଗୁରୁତ୍ବ ଦେଇ ମୁଖ୍ୟମନ୍ତ୍ରୀ ମାଲକାନଗିରିରେ ଜିଲ୍ଲା ପରିଷଦର ସଭାପତି ଭାବେ ସ୍ବାଭିମାନ ଅଞ୍ଚଳର ସମାରୀ ଟାଙ୍ଗୁଲଙ୍କୁ ଚୟନ କରିଛନ୍ତି । ୨୬ ବର୍ଷ ବୟସର ସମାରୀ +୨ କଳା ପର୍ଯ୍ୟନ୍ତ ପାଠ ପଢିଛନ୍ତି । ଅନୁରୂପ ଭାବେ ସରସ୍ବତୀ ମାଝି ମଧ୍ୟ ଉପାନ୍ତ କାଶୀପୁର ବ୍ଲକରୁ ଆସିଛନ୍ତି । ସମ୍ବଲପୁର ଜିଲ୍ଲାର ଉପାନ୍ତ ଅଞ୍ଚଳ ବାମରା ବ୍ଲକରୁ ଆସିଥିବା କୁମୁଦିନି ନାୟକ ଜିଲ୍ଲା ପରିଷଦ ସଭାପତି ହୋଇଛନ୍ତି । ସ୍ଥାନୀୟ ଜିଲ୍ଲା ପରିଷଦ ସଭାପତିମାନଙ୍କ ନେତୃତ୍ବରେ ଏହି ଅଞ୍ଚଳଗୁଡିକ ଆଗାମୀ ବର୍ଷରେ ଅଧିକ ବିକାଶମୂଳକ କାର୍ଯ୍ୟକଳାପ ଦେଖିବେ ବୋଲି ଆଶା କରାଯାଉଛି ।

୩୦ଟି ଜିଲ୍ଲା ମଧ୍ୟରୁ ୧୫ଟି (୫୦ ପ୍ରତିଶତ)ରେ ୪୦ ବର୍ଷରୁ କମ୍ ବୟସର ଜିଲ୍ଲା ପରିଷଦ ସଭାପତି ହୋଇଛନ୍ତି । ୩୦ଟି ଜିଲ୍ଲା ମଧ୍ୟରୁ ୨୩ଟିରେ (୭୬ ପ୍ରତିଶତ) ୫୦ ବର୍ଷରୁ କମ୍ ବୟସର ଜିଲ୍ଲା ପରିଷଦ ସଭାପତି । ସମସ୍ତ ଜିଲ୍ଲା ପରିଷଦ ସଭାପତିଙ୍କର ହାରାହାରି ବୟସ ମାତ୍ର ୪୧ ବର୍ଷ ରହିଛି । ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଲା ମନୋନୀତ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା । ୧୮ ଜିଲ୍ଲା ପରିଷଦ ସଭାପତି ସ୍ନାତକ ଶିକ୍ଷା ସମାପ୍ତ କରିଛନ୍ତି । ୩୦ରୁ ୨୬ଜଣ ଅତି କମରେ +୨ ସ୍ତରୀୟ ଶିକ୍ଷା ସମାପ୍ତ କରିଛନ୍ତି । ଜିଲ୍ଲାଗୁଡିକରେ ଉତ୍ତମ ଲୋକ ସମ୍ପର୍କ ଥିବା ଓ କୌଣସି ଅପରାଧିକ ମାମଲା ନଥିବା ଶିକ୍ଷିତ ପ୍ରାର୍ଥୀଙ୍କୁ ମନୋନୀତ କରି ସେମାନଙ୍କ ହାତରେ ନେତୃତ୍ବ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମହିଳାଙ୍କ ପାଇଁ ୫୦ ପ୍ରତିଶତ ଆସନ ସଂରକ୍ଷଣ ରହିଥିଲେ ବି ସେମାନଙ୍କ ନେତୃତ୍ବ ଉପରେ ବିଶ୍ବାସ କରିବା ସହ ମହିଳା ସଶକ୍ତିକରଣର ପାଇଁ ମୁଖ୍ୟମନ୍ତ୍ରୀ ୨୧ଜଣ ଜିଲ୍ଲା ପରିଷଦ ସଭାପତି ଭାବେ ବାଛିଛନ୍ତି । ଯାହାକି ମୋଟ ସଂରକ୍ଷଣର ୭୦ ପ୍ରତିଶତ । ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ମହିଳା ଓଡ଼ିଶାର ଜିଲ୍ଲାଗୁଡିକରେ ଶୀର୍ଷ ସ୍ଥାନକୁ ଯାଇଛନ୍ତି, ଯାହା ବୋଧହୁଏ ଦେଶର ଅନ୍ୟ କୌଣସି ସ୍ଥାନରେ ହୋଇନାହିଁ ।

ରାଜ୍ୟର ବଡ ଜିଲ୍ଲା ମୟୂରଭଞ୍ଜ, ଗଞ୍ଜାମ, କେନ୍ଦୁଝର, ସୁନ୍ଦରଗଡ, ବଲାଙ୍ଗୀର, ସମ୍ବଲପୁର ଏବଂ ଅବିଭକ୍ତ କୋରାପୁଟ ଜିଲ୍ଲା (ନବରଙ୍ଗପୁର ବ୍ୟତୀତ)ରେ ମହିଳାମାନେ ଜିଲ୍ଲା ପରିଷଦ ସଭାପତି ହୋଇଛନ୍ତି । ୧୮ ଟି ଅଣସଂରକ୍ଷିତ ଆସନ ମଧ୍ୟରୁ (ମହିଳାଙ୍କ ସମେତ) ୧୨ଟି ଓବିସି ପ୍ରାର୍ଥୀ (୬୭ ପ୍ରତିଶତ) ଜିଲ୍ଲା ପରିଷଦ ସଭାପତି ହୋଇଛନ୍ତି । ଓବିସି ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେବାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିବଦ୍ଧତା ଅନୁଯାୟୀ ଏହା ହୋଇଛି । ନିଜ ଜିଲ୍ଲା ଗଞ୍ଜାମରେ ନବୀନ ଜିଲ୍ଲା ପରିଷଦ ସଭାପତି ଭାବେ ଜଣେ ଓବିସି ମହିଳା ପ୍ରାର୍ଥୀଙ୍କୁ ବାଛିଛନ୍ତି ।