ଆସନ୍ତାକାଲି ରାଜ୍ୟରେ ପୌର ନିର୍ବାଚନ; ସକାଳ ୮ଟାରୁ ଭୋଟ୍ ଗ୍ରହଣ

ଆସନ୍ତାକାଲି ରାଜ୍ୟରେ ପୌର ନିର୍ବାଚନ । ୨୬ରେ ଗଣତି । ଏଥିପାଇଁ ରାଜ୍ୟ ନିର୍ବାଚନ ଆୟୋଗ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଏନଏସି, ପୌର ଏବଂ ମହାନଗର ନିଗମର ୧୭ ଶହ ୩୭ ୱାର୍ଡରେ ହେବ ନିର୍ବାଚନ । ୪ ହଜାର ୩ ଶହ ୭୩ ବୁଥରେ ମୋଟ ୪୦ ଲକ୍ଷ ୫୫ ହଜାର ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ ।

ପୌର ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସେପଟେ ଯେଉଁ ଜାଗାରୁ ପ୍ରାର୍ଥୀମାନେ ଭୋଟରଙ୍କୁ ଟଙ୍କା ବାଣ୍ଟିବାର ଅଭିଯୋଗ ଆସିଛି, ତଦନ୍ତ କରିବାକୁ ନିର୍ବାଚନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସହର ପାଇଁ କାଲି ପଡ଼ିବ ଭୋଟ୍‌ । ପୌର ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ପ୍ରସ୍ତୁତ । ୫୯ଟି ଏନଏସି, ୪୭ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମର ମୋଟ ୧୭ ଶହ ୩୭ ୱାର୍ଡରେ ହେବ ଭୋଟିଂ । ୪ ହଜାର ୩୭୩ ବୁଥରେ ନିର୍ବାଚନ ହେବ, ପ୍ରତି ବୁଥରେ ରହିବ ଦୁଇଟି ଇଭିଏମ୍ ରହିବ । ଗୋଟିଏ କାଉନସିଲର ବା କର୍ପୋରେଟରଙ୍କ ପାଇଁ ଏବଂ ଅନ୍ୟଟି ଅଧ୍ୟକ୍ଷ ବା ମେୟରଙ୍କ ପାଇଁ । କଟକର ମେୟର, ବାରିପଦାର ଅଧ୍ୟକ୍ଷ ପଦ ପାଇଁ ୧୬ ଜଣ ଏବଂ ଜୟପୁରର ଅଧ୍ୟକ୍ଷ ପଦ ପାଇଁ ୧୮ ଜଣ ପ୍ରାର୍ଥୀ ଥିବାରୁ ଏହିସବୁ ଜାଗାରେ ଗୋଟିଏ ଲେଖାଏଁ ଅତିରିକ୍ତ ବାଲଟ୍ ୟୁନିଟ୍ ଇଭିଏମ୍ ଲାଗିବ ।

ପୌର ନିର୍ବାଚନରେ ଅଧ୍ୟକ୍ଷ ପଦ ପାଇଁ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା ହେଉଥିବାରୁ ସବୁଠି ନିର୍ବାଚନୀ ମାହୋଲ ସରଗରମ ରହିଛି । କିଛି ଜାଗାରେ ନିର୍ବାଚନୀ ହିଂସା ମଧ୍ୟ ଦେଖିବାକୁ ମିଳିଛି । ଏହାକୁ ନଜରରେ ରଖି ନିର୍ବାଚନ ଦିନ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି । ୧୯୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ଭୁବନେଶ୍ୱରରେ ୩୦, କଟକରେ ୨୦ ଏବଂ ବ୍ରହ୍ମପୁର ମହାନଗର ନିଗମ ପାଇଁ ୧୦ ପ୍ଲାଟୁନ ଫୋର୍ସ ରହିବେ । ଏହା ସହ ୩୦୦ ମୋବାଇଲ ପାର୍ଟି ମଧ୍ୟ ନିୟୋଜିତ ରହିବେ । ନିର୍ବାଚନ ହେଉଥିବା ପ୍ରତ୍ୟେକ ପୌର ପରିଷଦର ପୋଲିସ ଷ୍ଟେସନରେ ଗୋଟିଏ ଲେଖାଏ ଷ୍ଟ୍ରାଇକିଂ ଫୋର୍ସ ରହିବେ । ଜିଲ୍ଲାରେ ଜରୁରୀ ପରିସ୍ଥିତି ପାଇଁ ଗୋଟିଏ କିମ୍ବା ଦୁଇ ପ୍ଲାଟୁନ ଫୋର୍ସ ରହିବେ ।

ସହରାଞ୍ଚଳରେ ଗୋଟିଏ ଲେଖାଏ ମହିଳାଙ୍କ ଦ୍ୱାରା ପରିଚାଳିତ ପିଙ୍କ ବୁଥ୍ ଏବଂ ଆଦର୍ଶ ବୁଥ ରହିବ । ପ୍ରତି ମହାନଗର ନିଗମରେ ୫ଟି ଲେଖାଏ ପିଙ୍କ୍ ଓ ମଡେଲ ବୁଥ୍ ରହିବ । ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କୁ ପୋଷ୍ଟାଲ ବାଲଟ୍ ଜରିଆରେ ଭୋଟ୍ ଦେବାର ସୁଯୋଗ ମିଳିବ । ଆସନ୍ତାକାଲି ସକାଳ ୮ଟାରୁ ଅପରାହଣ ୫ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହେବ । ୨୬ ତାରିଖ ଦିନ ସକାଳ ୮ଟାରୁ କଡ଼ା ସୁରକ୍ଷା ମଧ୍ୟରେ ଭୋଟ୍ ଗଣତି କରାଯିବ ।