ଆର୍ଯ୍ୟନଙ୍କ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲା; ତଦନ୍ତ କରୁଥିବା ୨ ଏନ୍‌ସିବି ଅଧିକାରୀ ନିଲମ୍ବିତ

ଗତବର୍ଷ ଚର୍ଚ୍ଚାରେ ରହିଥିଲେ ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ । ଆର୍ଯ୍ୟନଙ୍କୁ କ୍ରୁଜ ଡ୍ରଗ୍ସ ପାର୍ଟିରୁ ଗିରଫ କରି ଜେଲ ପଠାଇଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) । ଏବେ ଆର୍ଯ୍ୟନଙ୍କ ଡ୍ରଗ୍ସ ମାମଲାର ତଦନ୍ତ କରୁଥିବା ୨ଏନସିବି ଅଧିକାରୀ ବିଶ୍ୱ ବିଜୟ ସିଂହ ଓ ଆଶିଷ ରଞ୍ଜନ ପ୍ରସାଦ ନିଲମ୍ବିତ ହୋଇଥିବା ଜଣାପଡ଼ିଛି ।

ଅନ୍ୟ ଏକ ମାମଲା ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କୁହାଯାଉଛି । ଏନସିବିର ଭିଜିଲାନ୍ସ ଟିମ ଦ୍ୱାରା ଜାରି ଅନୁସନ୍ଧାନରେ ଜଣାପଡ଼ିଥିଲା ଯେ ଉଭୟ ‘ସନ୍ଦେହଜନକ କାର୍ଯ୍ୟକଳାପ’ରେ ଲିପ୍ତ ରହିଛନ୍ତି । ଏହି ଅନୁସନ୍ଧାନ ପରେ ଦୁହିଁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି । ବିଶ୍ୱ ବିଜୟ ସିଂହ କ୍ରୁଜ୍ ଡ୍ରଗ୍ସ ମାମଲାର ତଦନ୍ତକାରୀ ଅଧିକାରୀ ଥିବାବେଳେ ପ୍ରସାଦ ମଧ୍ୟ ଏହି ମାମଲାରେ କାର୍ଯ୍ୟ କରୁଥିଲେ । ନିଲମ୍ବନ ହେବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । କ୍ରୁଜ୍ ଡ୍ରଗ୍ସ ମାମଲାରେ ସେମାନଙ୍କ ଭୂମିକା ପାଇଁ ସେମାନଙ୍କୁ ନିଲମ୍ବିତ କରାଯାଇଛି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।