ଆଜିଠାରୁ ପ୍ରଧାନମନ୍ତ୍ରୀଙ୍କ ଦୁଇଦିନିଆ କୋଲକାତା ଗସ୍ତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଠାରୁ ଦୁଇ ଦିନିଆ କୋଲକାତା ଗସ୍ତ କରୁଛନ୍ତି । ଏହି ଗସ୍ତ ଅବସରରେ ସେ କୋଲକାତା ପୋର୍ଟ ଟ୍ରଷ୍ଟର ୧୫୦ ତମ ବାର୍ଷିକ ଉତ୍ସବରେ ଯୋଗ ଦେବେ । ଏହାସହ ବିଭିନ୍ନ କାର‌୍ୟ୍ୟକ୍ରମରେ ଯୋଗ ଦେବେ। ମୋଦିଙ୍କ ଗସ୍ତକୁ ନେଇ ଶୁକ୍ରବାର ହାୱଡା ବ୍ରିଜକୁ ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି ।

ଆଜି ପ୍ରଧାନମନ୍ତ୍ରୀ କୋଲକାତାରେ ପହଂଚିବା ପରେ ନବୀକରଣ କରାଯାଇଥିବା ଐତିହ୍ୟ କୋଠାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ସେହିପରି ୧୧ ଓ ୧୨ ତାରିଖରେ କୋଲକାତା ପୋର୍ଟ ଟ୍ରଷ୍ଟର ୧୫୦ତମ ବାର୍ଷିକ ଉତ୍ସବରେ ଯୋଗ ଦେବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର‌୍ୟ୍ୟାଳୟ ପକ୍ଷରୁ ଟ୍ବିଟରରେ ପ୍ରକାଶ କରାଯାଇଛି ।

ପ୍ରଧାନମନ୍ତ୍ରୀ ନେତାଜୀ ସୁବାଷ ଡ୍ରାଏ ଡକରେ କୋଚିନ-କୋଲକାତା ସିପ ରିପେୟାର ୟୁନିଟର ପରିବର୍ଦ୍ଧିତ ସୁବିଧାକୁ ଉଦଘାଟନ କରିବେ । ଅନ୍ୟପକ୍ଷରେ ହଳଦିଆ ଡକ କମ୍ପ୍ଲେକ୍ସର ନୂତନ ବ୍ୟବସ୍ଥା, କୋଲକାତା ଡେକର ନୂତନ ରେଳବାଇ ଭିତିଭୂମି, ନଦୀ ପଠା ବିକାଶ କାର‌୍ୟ୍ୟକ୍ରମର ଆରମ୍ଭ କରାଯିବ । ସେହିପରି କୌଶଳ ବିକାଶ କେନ୍ଦ୍ର, ପ୍ରୀତିଲତା ଛାତ୍ରୀ ଆବାସ ଆଦିକୁ ମଧ୍ୟ ପ୍ରଧାନମନ୍ତ୍ରୀ ଏହି ଦୁଇ ଦିନିଆ ଗସ୍ତରେ ଉଦଘାଟନ କରିବେ ।