ଆକ୍ସନ ମୋଡରେ ବିଏମ୍‌ସି; ଗାଡ଼ି ପାର୍କିଂରେ ଲୋକଙ୍କୁ ଲୁଟିବାରେ ଲାଗିବ ରୋକ୍‌

ଦୀର୍ଘ ବର୍ଷ ଧରି ପାର୍କିଂ ସ୍ଥାନରେ ଚାଲିଥିବା ଲୁଟ୍‌ ପ୍ରସଙ୍ଗରେ ନିରବ ରହିବା ପରେ ଏବେ ବିଏମ୍‌ସି ହଠାତ୍‌ ଚେଇଁ ଉଠିଛି। ଘନ ଘନ ବୈଠକ ପରେ ଏକାଧିକ ନିଷ୍କର୍ଷ ବାହାରିଛି । ପାର୍କିଂ ଫି’ ଆଦାୟ ନାଁରେ ଚାଲିଥିବା ଲୁଟ୍‌ରେ ଅସ୍ତବ୍ୟସ୍ତ ସହରବାସୀଙ୍କ ଡାକରା ବିଏମ୍‌ସି ବାବୁଙ୍କ କାନରେ ପଶିଛି ।

ନିଷ୍ପତ୍ତି ହୋଇଛି, ଏହି ଲୁଟ୍‌କୁ ଆଉ ବରଦାସ୍ତ କରାଯିବନି । ସହରର ସବୁ ପାର୍କିଂ ସ୍ଥାନରେ ବିଏମ୍‌ସି ନିଜସ୍ୱ ସାଇନ୍‌ ବୋର୍ଡ ଝୁଲାଇବ । ଏଥିରେ ପାର୍କିଂ ଫି, ପାର୍କିଂ ସୀମା, ଅଭିଯୋଗ କରିବା ନମ୍ବର, ନିଲାମଧାରୀଙ୍କ ନାମ ସମେତ ସମସ୍ତ ସୂଚନା ରହିବ ବୋଲି ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ହୋଇଛି ।

ବିଏମ୍‌ସି ସହରର ୭୧ଟି ସ୍ଥାନରେ ପାର୍କିଂ ପାଇଁ ସ୍ଥାନ ଚିହ୍ନଟ କରି ଅନୁମତି ଦେଇଛି । ଏଥିରୁ ୧୫ଟି ସ୍ଥାନରେ ଇନଷ୍ଟିଚ୍ୟୁସନାଲ ପାର୍କିଂ ପାଇଁ ଅନୁମତି ଦିଆଯାଇଛି । ଏଠାରେ ବିଭିନ୍ନ ସଂସ୍ଥା ବା ଅଫିସ୍‌ ବିଏମ୍‌ସିକୁ ଟଙ୍କା ଦେଇ ନିଜ କର୍ମଚାରୀଙ୍କ ପାଇଁ ପାର୍କିଂ ସ୍ଥାନ ନେଇଛନ୍ତି । ବାକି ୫୬ଟି ସ୍ଥାନରେ ଅନ୍‌ଷ୍ଟ୍ରିଟ୍‌ ଓ ଅଫ୍‌ଷ୍ଟ୍ରିଟ୍‌ ପାର୍କିଂ ପାଇଁ ନିଲାମ ଦିଆଯାଇଛି । ନିଲାମଧାରୀଙ୍କୁ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନ ଆବଣ୍ଟନ କରାଯାଇଛି । ସେମାନେ କେବଳ ଏହି ସୀମା ଭିତରେ ହିଁ ଲୋକଙ୍କୁ ଗାଡ଼ି ପାର୍କିଂ ପାଇଁ କହିପାରିବେ । ଏହି ସୀମାରୁ ଫୁଟେ ବି ବାହାରକୁ ଗଲେ ବିଏମ୍‌ସିକୁ ଜରିମାନା ଦେବାକୁ ହେବ । ପୁଣି ବିଏମ୍‌ସି ଧାର୍ଯ୍ୟ କରିଥିବା ପାର୍କିଂ ଫି’ ମୁତାବକ ଲୋକଙ୍କ ଠାରୁ ଆଦାୟ ହେବ । କେହି ଟଙ୍କାଟିଏ ଅଧିକ ଆଦାୟ କଲେ ସେମାନଙ୍କର ନିଲାମ ବାତିଲ କରାଯିିବ ବୋଲି ଟେଣ୍ଡରରେ ସର୍ତ୍ତ ରହିଛି । ଯେଉଁ ସ୍ଥାନକୁ ବିଏମ୍‌ସି ପାର୍କିଂ ସ୍ଥାନ ଭାବେ ଚିହ୍ନଟ କରିନି ସେଠାରେ କୌଣସି ଗାଡ଼ି ପାର୍କିଂ ହେବନି ।

ହେଲେ ଅଧିକାଂଶ ସ୍ଥାନରେ ପାର୍କିଂ ନାଁରେ ଲୋକଙ୍କଠାରୁ ଲୁଟ୍‌ କରାଯାଉଛି । ଲୋକଙ୍କଠୁ ମନଇଚ୍ଛା ପାର୍କିଂ ଫି’ ଆଦାୟ କରାଯାଉଛି । ବିଏମ୍‌ସି ନିଲାମ ଦେଇନଥିବା ଜାଗାରେ ବି ବେଆଇନ ପାର୍କିଂ ଷ୍ଟାଣ୍ଡ କରି ଲୋକଙ୍କୁ ଲୁଟୁଛନ୍ତି । ନୋ ପାର୍କିଂ ଜୋନ୍‌ରେ ବି ଗାଡି ପାର୍କିଂ ହେଉଛି । ଏଭଳି ମାଳ ମାଳ ଅଭିଯୋଗ ଆସିବା ପରେ ବିଏମ୍‌ସି ପଦକ୍ଷେପ ନେବାକୁ ଅଣ୍ଟା ଭିଡିଛି । ସମସ୍ତ ପାର୍କିଂ ସ୍ଥାନରେ ସାଇନ୍‌ ବୋର୍ଡ ଝୁଲାଇବାକୁ ସହରର ୩ ଜୋନାଲ ଡେପୁଟି କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ କମିଶନର ।

ଏହି ସାଇନ୍‌ବୋର୍ଡରେ ଟେଣ୍ଡର ନଂ ଓ ତାରିଖ, କେଉଁ ସ୍ଥାନରୁ କେଉଁ ସ୍ଥାନ ଯାଏ ପାର୍କିଂ ନିଲାମ ନେଇଛନ୍ତି ତା’ର ସୂଚନା, ନିଲାମ ଅବଧି, ନିଲାମଧାରୀଙ୍କ ନାଁ ଓ ନମ୍ବର ଏବଂ ପାର୍କିଂ ରେଟ୍‌ କେତେ ତାହା ବିସ୍ତୃତ ଭାବେ ଉଲ୍ଲେଖ ରହିବ । ଏଥିସହ ଲୋକେ କୌଣସି ଅଭିଯୋଗ କରିବାକୁ ଚାହିଁଲେ ସେଠାରେ ନମ୍ବର ଦିଆଯିବ । ସାଇନବୋର୍ଡରେ ଜୋନାଲ ଡେପୁଟି କମିଶନର ଓ ଏସିପି ଟ୍ରାଫିକଙ୍କ ନମ୍ବର ଉଲ୍ଲେଖ ରହିବ । ଅଭିଯୋଗ ଗ୍ରହଣ ପାଇଁ ବିଏମ୍‌ସି ୱେବସାଇଟ୍‌ ଓ ଟ୍ୱିଟର ହ୍ୟାଣ୍ଡେଲର ସୂଚନା ବି ପ୍ରଦର୍ଶିତ ହେବ । ପ୍ରତି ପାର୍କିଂ ସ୍ଥାନକୁ ସ୍ୱତନ୍ତ୍ର ଭାବେ ଚିହ୍ନିତ କରିବାକୁ ବିଏମ୍‌ସି ଇଞ୍ଜିନିୟରିଂ ସେକ୍ସନକୁ ନିର୍ଦ୍ଦେଶ ଦିଆଯାଇଛି ।

ବେଆଇନ ପାର୍କିଂ ରୋକିବାକୁ ଜୋନାଲ୍‌ ସ୍କ୍ୱାଡ୍‌ ଗଠନ କରାଯିବ । ଏହି ସ୍କ୍ୱାଡ୍‌ ବିଭିନ୍ନ ଅଞ୍ଚଳ ବୁଲି ବେଆଇନ ପାର୍କିଂ ଓ ନୋ ପାର୍କିଂ ଜୋନ୍‌କୁ ଯାଞ୍ଚ କରିବ । ପାର୍କିଂ ସ୍ଥାନ ଜଗୁଥିବା କିନ୍ନର ଓ ଅନ୍ୟ କର୍ମଚାରୀଙ୍କୁ ଅନଲାଇନ୍‌ ପାର୍କିଂ ଫି ଆଦାୟ ପାଇଁ ନିୟମିତ ବ୍ୟବଧାନରେ ପ୍ରଶିକ୍ଷଣ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି ।