ଅପରିବର୍ତ୍ତିତ ରହିବ ରାଜ୍ୟର ବିଦ୍ୟୁତ ଶୁଳ୍କ

ରାଜ୍ୟର ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଆଶ୍ବସ୍ତିକର ଖବର। ଚଳିତ ବର୍ଷ ବିଦ୍ୟୁତ ଶୁଳ୍କରେ କୌଣସି ପରିବର୍ତ୍ତନ ହେବ ନାହିଁ। ବିଦ୍ୟୁତ ଦର ପ୍ରସଙ୍ଗ ନେଇ ଆଜି ଓଇଆରସି ସଚିବ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ ଚଳିତ ବର୍ଷ ତଥା ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ ଦର ବଢିବ ନାହିଁ ବୋଲି ଘୋଷଣା ହୋଇଛି।

ଓଇଆରସି ସଚିବଙ୍କ ଘୋଷଣା ଅନୁଯାୟୀ, ରାଜ୍ୟରେ ପୂର୍ବଭଳି ଶୂନରୁ ୫୦ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ ଦର ୩ ଟଙ୍କା ରହିବ। ସେହିଭଳି ୫୦ ରୁ ୨୦୦ ୟୁନିଟ ଯାଏଁ ଦର ୪ ଟଙ୍କା ୮୦ ପଇସା, ୨୦୦ ରୁ ୪୦୦ ୟୁନିଟ ଯାଏଁ ଦର ୫ ଟଙ୍କା ୮୦ ପଇସା ଏବଂ ୪୦୦ ୟୁନିଟରୁ ଅଧିକ ହେଲେ ବିଦ୍ୟୁତ ଦର ୬ ଟଙ୍କା ୨୦ ପଇସା ହେବ।

ଏହାସହିତ ବିଦ୍ୟୁତ ଉପଭୋକ୍ତାମାନଙ୍କ ପାଇଁ ରିହାତି ଘୋଷଣା କରାଯାଇଛି। ଡିଜିଟାଲ ପେମେଣ୍ଟ କରୁଥିବା ଉପଭୋକ୍ତାମାନଙ୍କୁ ୩ ପ୍ରତିଶତ ରିହାତି ମିଳିବ। କିନ୍ତୁ ପୂର୍ବରୁ ଡିଜିଟାଲ ପେମେଣ୍ଟ ପାଇଁ ୨ ପ୍ରତିଶତ ରିହାତି ମିଳୁଥିଲା। ସେହିଭଳି ଗ୍ରାମାଞ୍ଚଳ ଉପଭୋକ୍ତାଙ୍କୁ ୟୁନିଟ ପିଛା ୧୦ ପଇସା ରିହାତି ମିଳିବ। ଏବଂ କୃଷିକ୍ଷେତ୍ର ପାଇଁ ଉଠାଜଳସେଚନ ପଏଣ୍ଟ ନିମନ୍ତେ ୨ ଟଙ୍କା ରିହାତି ମିଳିବ। ଏହାସହିତ ବିଦ୍ୟୁତ ଚାଳିତ ଯାନ ନିମନ୍ତେ ୫ ଟଙ୍କା ୫୦ ପଇସା ଟାରିଫ ଧାର୍ଯ୍ୟ କରାଯାଇଛି।