ଅକ୍ସଫୋର୍ଡ ଡିକ୍ସନାରୀରେ ସ୍ଥାନ ପାଇଲା ଭାରତୀୟ ଶବ୍ଦ ‘ଚଡି’

ଲଣ୍ଡନ : ଚଡି(ଅନ୍ତର୍ବସ୍ତ୍ର) ଆମ ଦେଶରେ ଏକ ବହୁଳ ପ୍ରଚଳିତ ଶବ୍ଦ । ହିନ୍ଦୀ, ଓଡ଼ିଆ ସମେତ ଅନେକ ଭାରତୀୟ ଭାଷାରେ ଏହି ଶବ୍ଦଟିର ବହୁଳ ବ୍ୟବହାର ହୋଇଥାଏ । ଏପରିକି ବଲିଉଡ ଚଳଚ୍ଚିତ୍ରରେ ମଧ୍ୟ ଏହାର ବହୁଳ ବ୍ୟବହାର ଆପଣ ଲକ୍ଷ୍ୟ କରିଥିବେ । ଏବେ ଏହି ପରିଚିତ ଶବ୍ଦ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚିଛି । ପ୍ରସିଦ୍ଧ ଅକ୍ସଫୋର୍ଡ ଇଂଲିସ ଡିକ୍ସନାରୀ ରେ ଏହି ଶବ୍ଦ ଅନ୍ତର୍ଭୁକ୍ତ ହୋଇଛି ।

ପୂର୍ବରୁ ମଧ୍ୟ ଅନେକ ଭାରତୀୟ ଶବ୍ଦ ଇଂରାଜୀ ଅଭିଧାନରେ ଅନ୍ତର୍ଭୁକ୍ତ ହୋଇସାରିଛି । ଭାରତରେ ବ୍ରିଟିଶମାନେ ପ୍ରାୟ ଅଢେଇ ଶହ ବର୍ଷ ଧରି ଶାସନ କରୁଥିବାବେଳେ ଅନେକ ଭାରତୀୟ ଭାଷା ସେମାନେ ଶିଖିପାରିଥିଲେ । ସେମାନଙ୍କ ମଧ୍ୟରେ ଅନେକ ଭାରତୀୟ ଶବ୍ଦ ଇଂରାଜୀ ଭାଷାରେ ପ୍ରବେଶ କରିଥିଲା । ତେବେ ଚଡ଼ିକୁ ଅନ୍ତର୍ଜାତୀୟ ପରିଚିତି ଦେଇଥିଲା ୯୦ ଦଶକରେ ବିବିସିରେ ପ୍ରସାରିତ ‘ଗୁଡନେସ ଗ୍ରେସିୟସ ମି’ ନାମକ ବ୍ରିଟିସ ଧାରାବାହିକରେ  । ଏହି ଧାରାବାହିକରେ ଅଭିନୟ କରିଥିବା ସଂଜୀବ ଭାସ୍କରଙ୍କ ସଂଳାପ ‘କିସ ମାଇ ଚଡିସ’ ଚଡି ଶବ୍ଦକୁ ଲୋକପ୍ରିୟ କରିଦେଇଥିଲା ।