ଉଠା ଦୋକାନ ଉପରେ ଚଢ଼ିଗଲା ଟ୍ରକ, ୪ ମୃତ

ସମ୍ବଲପୁର: ରାସ୍ତା କଡରେ ଥିବା ଉଠା ଦୋକାନ ଉପରେ ଚଢ଼ିଗଲା ୧୬ ଚକିଆ ଟ୍ରକ। ଘଟଣାସ୍ଥଳରେ ୩ ମୃତ ହୋଇଥିବା ବେଳେ ବୁର୍ଲା ମେଡ଼ିକାଲରେ ଆଉଜଣେ ମୃତ। ଘଟଣାଟି ଆଜି ଭୋର ପ୍ରାୟ ୪ ଟା ସମୟରେ ସମ୍ବଲପୁର ଶାସନ ଥାନାର ପରମାନପୁର ଗାଁରେ ଘଟିଛି।

ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲାର ପରମାନପୁର ଗାଁରେ ଗତ ୧୫ ତାରିଖରୁ ଧନୁଯାତ୍ରା ଅନୁଷ୍ଠିତ ହୋଇଛି। ଏହା ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ପ୍ରତ୍ୟେକ ବର୍ଷ ପରି ଏଥର ମଧ୍ୟ ପରମାନପୁର ଗାଁର ରାସ୍ତା କଡରେ ବହୁ ଉଠା ଦୋକାନୀ ଦୋକାନ ବସାଇଥାନ୍ତି।

ଚଳିତ ବର୍ଷ ମଧ୍ୟ ବହୁ ଉଠା ଦୋକାନୀ ରାସ୍ତା କଡରେ ଦୋକାନ ବସାଇଛନ୍ତି। ଏଭଲି ପରିସ୍ଥିତିରେ ଆଜି ଭୋର ୪ ଟା ବେଳେ ଗୋଟିଏ କୋଇଲା ବୋଝଇ ଟ୍ରକ ସିନ୍ଦୁରପଙ୍କରୁ ସମାସିଙ୍ଘା ଆଡକୁ ଯାଉଥିବା ବେଳେ ଡ୍ରାଇଭରର ଆଖି ଲାଗିଯିବାରୁ ଟ୍ରକଟି ନିୟନ୍ତ୍ରଣ ହରାଇ ରାସ୍ତା କଡ଼ର ୪ଟି ଦୋକାନ ଉପରକୁ ଚଢିଯାଇଥିଲା।

ଫଳରେ ଘଟଣାସ୍ଥଳରେ ତୌଫିକ, ରାଜା ଓ ସାୟାଦ ନାମକ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସେମାନେ ସମସ୍ତେ ସମ୍ବଲପୁର ସୁନା ପାଲି ଅଂଚଳ ର ବୋଲି ଜଣାପଡ଼ିଛି। ଆହତ ଥିବା ଆଉ ୫ ଜଣକୁ ବୁର୍ଲା ନିଆଯାଇଥିବା ବେଳେ ସେଠାରେ ଆଉ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ବର୍ତମାନ ସୁଦ୍ଧା ୪ ମୃତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି। ଘଟଣାସ୍ଥଳରୁ ପୋଲିସ ଟ୍ରକକୁ ଜବତ କରିଛି।