ଭୁବନେଶ୍ୱର: ଓଡିଶାର ୫ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ଦୁଇଟି ଲୋକସଭା ଆସନ ପାଇଁ କୋରାପୁଟରେ ଦଳ ଜୟରାମ ପାଙ୍ଗୀଙ୍କୁ ପ୍ରାର୍ଥୀ କରିଥିବା ବେଳେ କଳାହାଣ୍ଡିରେ ବିଜେପି ଟିକେଟରୁ ଲଢିବେ ରାଜ୍ୟ ସଭାପତି ବସନ୍ତ ପଣ୍ଡା ।
ପୂର୍ବରୁ ଦଳ ରାଜ୍ୟର ୧୦ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ ଆଜି ଆଉ ୫ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି ଦଳ ।
ପୁରୀରୁ ସମ୍ବିତ ପାତ୍ର ନିର୍ବାଚନ ଲଢିବାକୁ ଥିବା ବେଳେ କଳାହାଣ୍ଡିରୁ ନିର୍ବାଚନ ଲଢିବେ ବସନ୍ତ ପଣ୍ଡା, କୋରାପୁଟରୁ ବିଜେପି ଟିକେଟରୁ ଲଢିବେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ, ବରଗଡରେ ଦଳ ସୁରେଶ ପୁଜାରୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ସମ୍ବଲପୁର ପାଇଁ ଦଳ ପ୍ରାର୍ଥୀ କରିଛି ନୀତେଶ ଗଙ୍ଗଦେବଙ୍କୁ ।
୨୦୧୪ ତୁଳନାରେ ଏହି ସବୁ ଆସନରେ ଦଳ ତାର ପ୍ରାର୍ଥୀ ତାଲିକାରେ ବ୍ୟାପକ ପରିବର୍ତ୍ତନ କରିଛି । ସୁରେଶ ପୂଜାରୀ ଗତଥର ସମ୍ବଲପୁରରୁ ଲଢିଥିବା ବେଳେ ଏଥର ତାଙ୍କୁ ବରଗଡରୁ ଟିକେଟ ଦିଆଯାଇଛି । ଗତଥର ବରଗଡରୁ ଲଢିଥିଲେ ସୁବାସ ଚୈାହ୍ୱାନ ।
ସେହିଭଳି କଳାହାଣ୍ଡିରେ ମଧ୍ୟ ଦଳ ପ୍ରାର୍ଥୀ ପରିବର୍ତ୍ତନ କରିଛି । ୨୦୧୪ରେ ଏହି ଆସନରୁ ପ୍ରଦୀପ୍ତ ନାୟକ ନିର୍ବାଚନ ଲଢିଥିବା ବେଳେ ଏଥର ନିର୍ବାଚନ ଲଢିବେ ରାଜ୍ୟ ସଭାପତି ବସନ୍ତ ପଣ୍ଡା l
ପୁରୀରେ ଦଳ ସଂପୂର୍ଣ୍ଣ ଭାବେ ନୂଆ ଚେହେରାକୁ ନେଇ ନିର୍ବାଚନ ମୈଦାନକୁ ଓହ୍ଲାଇବ । ସେହିଭଳି କୋରାପୁଟରେ ମଧ୍ୟ ବିଜେଡିରୁ ଆସି ବିଜେପିରେ ସାମିଲ ହୋଇଥିବା ଜୟରାମ ପାଙ୍ଗୀଙ୍କୁ ଦଳ ସୁଯୋଗ ଦେଇଛି ।