୪ ମାସ ମଧ୍ୟରେ ଜଗମୋହନ ମରାମତି ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ,ସେପଟେ ୧୪ରୁ ୮ ଘଣ୍ଟା ଲେଖାଏଁ କାମ କରିବାକୁ ଶ୍ରୀମନ୍ଦିରଲ ପ୍ରଶାସନ ବୈଠକରେ ନିଷ୍ପତ୍ତି

ଭୁବନେଶ୍ବର:୪ ମାସ ମଧ୍ୟରେ ଜଗମୋହନ ମରାମତି ଶେଷକର । ASI ଓ ପୂର୍ତ୍ତ ବିଭାଗକୁ ଏମିତି ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଅଚାନକ ପୁରୀ ଗସ୍ତରେ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବା ସହ ଜଗମୋହନ ମରାମତି କାମର ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ASI ଅଧିକାରୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ପୂର୍ତ୍ତ ବିଭାଗର ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ଜଗମୋହନ କାମର ଆଗ୍ରମତି ନେଇ ଆଲୋଚନା କରିଥିଲେ । ଜଗମୋହନର ସମସ୍ତ ମରାମତି କାର୍ଯ୍ୟ ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଜଗମୋହନ ପରିଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦଇତାପତି ନିଯୋଗ ଅନୁରୋଧ କରିଥିଲା । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିବା ସହ ଜଗମୋହମ ମରାମତି କାମ ଅନୁଧ୍ୟାନ କରିଛନ୍ତି। ଶୃଙ୍ଖଳିତ ରଥଯାତ୍ରା ସମ୍ପନ୍ନ ପାଇଁ ଦଇତାପତି ନିଯୋଗକୁ ଶ୍ରେୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ଜଗମୋହନ ମରାମତି ପ୍ରସଙ୍ଗରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଆଜି ହୋଇଛି ଗୁରୁତ୍ବପୂର୍ଣ ବୈଠକ । ବୈଠକରେ ଜିଲ୍ଲାପାଳ, ଏଏସ୍ଆଇ ଟିମ୍, କୋର କମିଟି ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ନିର୍ଦ୍ଧାରିତ ସମୟରେ କାମ ସାରିବାକୁ ୧୪ ତାରିଖରୁ ୮ ଘଣ୍ଟା ଲେଖାଏଁ କାମ କରିବାକୁ ନିଷ୍ପତ୍ତି ହୋଇଛି । ଘୋଷଯାତ୍ରା ପାଇଁ ମରାମତି କାମ ବନ୍ଦ ରହିଥିଲା । ବୈଠକ ଆରମ୍ଭରେ ଘୋଷଯାତ୍ରା କାର୍ଯ୍ୟ ସୁରୁଖୁରୁରେ ସଂପାଦନ ଲାଗି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ମୁଖ୍ୟ ପ୍ରଶାସକ । ଶ୍ରୀମନ୍ଦିର ସମସ୍ତ ନୀତିକାନ୍ତି ଆଗକୁ କିପରି ଶୃଂଖଳିତ କରାଯିବ ସେନେଇ ମୁଖ୍ୟ ପ୍ରଶାସକ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି । ବୈଠକରେ ଛତିଶାନିଯୋଗ ଓ ବିଭିନ୍ନ ନିଯୋଗର ସମ୍ପାଦକ ଏବଂ ସଭାପତି ତଥା ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ଥିଲେ