ଋଷ ଏବଂ ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ୟୁରୋପ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମେ ୨ ରୁ ୪ ମଧ୍ୟରେ ଜର୍ମାନୀ, ଡେନମାର୍କ, ଏବଂ ଫ୍ରାନ୍ସ ଗସ୍ତ କରି ରାଷ୍ଟ୍ରଧ୍ୟକ୍ଷଙ୍କ ସହ ସାକ୍ଷାତ କରିବେ। ଏହି ସମୟରେ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ। ୨୦୨୨ରେ ପ୍ରଧାନମନ୍ତ୍ରୀଙ୍କ ବୈଦେଶିକ ଗସ୍ତ କାର୍ଯ୍ୟସୂଚୀ ସାମ୍ନାକୁ ଆସିଛି। ଏନେଇ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।
ସୂଚନାନୁଯାୟୀ, ୟୁରୋପ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜର୍ମାନୀର ଚାନ୍ସେଲର ଓଲାଫ ଶୋଲଜଙ୍କ ସହ ଦ୍ଵିପାକ୍ଷିକ ଆଲୋଚନା କରିବେ। ଏତଦ୍ ବ୍ୟତୀତ ସେ ଭାରତ-ଜର୍ମାନୀ ମଧ୍ୟରେ ହେବାକୁ ଥିବା ବୈଠକରେ ଯୋଗ ଦେବେ।
ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତ ଗୁରୁତ୍ଵପୂର୍ଣ୍ଣ ହେବ ବୋଲି ଅନୁମାନ କରାଯାଉଛି। କାରଣ ଋଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାୱରୋବ କହିଛନ୍ତି ଯେ, ଯଦି ୟୁକ୍ରେନ୍ ଓ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧ ଅଟକାଇବା ପାଇଁ ଭାରତ ମଧ୍ୟସ୍ଥତା କରିବ ତେବେ ତାଙ୍କୁ କୌଣସି ଆପତ୍ତି ନାହିଁ। ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ୟୁରୋପ ଗସ୍ତ ଖୁବ୍ ଗୁରୁତ୍ଵପୂର୍ଣ୍ଣ ହେବ ବୋଲି ଚର୍ଚ୍ଚା ଜୋର୍ ଧରିଛି।