ହିଜାବ ମାମଲାର ଶୁଣାଣି କରୁଥିବା କର୍ଣ୍ଣାଟକର ଉଚ୍ଚ ନ୍ୟାୟାଳୟର ୩ ଜଣ ଜଜ୍ଙ୍କୁ ଓ୍ଵାଇ ସିକ୍ୟୁରିଟି। ଏହି ମାମଲାର ଶୁଣାଣି କରୁଥିବା କାରଣରୁ ଏହି ୩ ଜଜ୍ଙ୍କୁ ଲଗାତାର ଧମକ ଦିଆଯାଉଥିଲା। ଏଣୁ ସେମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ବସବରାଜ୍ ବୋମ୍ମଇ ୩ ଜଣ ଯାକ ଜଜ୍ଙ୍କୁ ଓ୍ଵାଇ ସିକ୍ୟୁରିଟି ସୁରକ୍ଷା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।
ରବିବାର ବେଙ୍ଗାଲୁରୁରେ ଗଣମାଧ୍ୟମ ସହ କଥା ହେବା ବେଳେ ବୋମ୍ମଇ କହିଛନ୍ତି, ହିଜାବ ମାମଲାର ଶୁଣାଣି କରିଥିବା ୩ ଜଜ୍ଙ୍କୁ ଓ୍ଵାଇ ଶ୍ରେଣୀ ସୁରକ୍ଷା ଦେବାକୁ ଆମେ ନିଷ୍ପତ୍ତି ନେଇଛୁ। ମୁଁ ମହାନିର୍ଦ୍ଦେଶକ ଓ ଆଇଜିଙ୍କୁ ବିଧାନ ସୌଧ ପୋଲିସ ଷ୍ଟେସନ୍ରେ ରୁଜୁ ହୋଇଥିବା ମାମଲାର ସମ୍ପୂର୍ଣ୍ଣ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛି। କିଛି ଲୋକ ଜଜ୍ଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଛନ୍ତି ବୋଲି ଅଭିଯୋଗ ରହିଛି।
୩ ଜଜ୍ଙ୍କ ମଧ୍ୟରେ ମୁଖ୍ୟ ବିଚାରପତି ରିତୁ ରାଜ୍ ଅବସ୍ଥୀ ମଧ୍ୟ ସାମିଲ ଅଛନ୍ତି। ପ୍ରଧାନ ବିଚାରପତିଙ୍କ ବ୍ୟତୀତ ୩ ଜଜ୍ଙ୍କ ପୀଠରେ ଜଷ୍ଟିସ୍ କୃଷ୍ଣା ଦୀକ୍ଷିତ ଓ ଜଷ୍ଟିସ୍ ଖାଜୀ ଏମ୍ ଜୟବୁନ୍ନିସା ବି ଅଛନ୍ତି।
ଏହି ଘଟଣାକୁ ନିନ୍ଦା କରିବା ଅବସରରେ ବୋମ୍ମଇ କହିଛନ୍ତି, ଗୋଟିଏ ସମ୍ପ୍ରଦାୟର ପକ୍ଷ ନେବା ଧର୍ମ ନିରପେକ୍ଷତା ନୁହେଁ। ଏହା ସାମ୍ପ୍ରଦାୟିକତା। ମୁଁ ଏହାକୁ ନିନ୍ଦା କରୁଛି। ଆମେ ସମସ୍ତେ ଏକାଠି ଠିଆ ହେବା ଦରକାର ବୋଲି କହିଛନ୍ତି ବୋମ୍ମଇ।