ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଏବେ ଉଗ୍ର ରୂପ ଧାରଣ କରିଛି । ପରିସ୍ଥିତି ଏମିତି ଯେ ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇ ତୀବ୍ର ବିରୋଧ ପ୍ରଦର୍ଶନ କରୁଛନ୍ତି । ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ଇସ୍ତଫା ଦେଇସାରିଛନ୍ତି । କିନ୍ତୁ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ପଦରୁ ହଟନ୍ତୁ ବୋଲି ଦାବି କରି ରାଜରାସ୍ତାରେ ହଙ୍ଗାମା କରୁଛନ୍ତି ଜନତା । ଯାହା ଫଳରେ ଶ୍ରୀଲଙ୍କା ଏବେ ଜଳୁଛି ।
ବୁଧବାର ରାଜଧାନୀ କଲମ୍ବୋର ବିଭିନ୍ନ ସ୍ଥାନରେ ନିଆଁ ଲଗାଇ ଦେଇଛନ୍ତି ଉତ୍ତ୍ୟକ୍ତ ଜନତା । ସୁରକ୍ଷା ଦୃଷ୍ଟିରେ ବାଧ୍ୟ ହୋଇ ସେନା ମୁତୟନ କରାଯାଇଛି । ସମ୍ବେଦନଶୀଳ ସ୍ଥାନଗୁଡିକରେ ପହରା ମାରୁଛନ୍ତି ସେନା ଯବାନ । ଏପରିକି ଶ୍ରୀଲଙ୍କାର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଜନସାଧାରଣଙ୍କୁ କଡା ଚେତାବନୀ ମଧ୍ୟ ଦିଆଯାଇଛି । ଜନସାଧାରଣଙ୍କ ସମ୍ପତ୍ତି ଲୁଟିବା, ଅନ୍ୟମାନଙ୍କୁ ଅସୁବିଧାରେ ପକାଇବା କିମ୍ବା କ୍ଷତି ପହଞ୍ଚାଇବା ଭଳି କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ଦେଖିବା ମାତ୍ରେ ଗୁଳି କରିଦେବାକୁ ସେନା, ବାୟୁ ସେନା ଏବଂ ନୌସେନାକୁ ନିର୍ଦ୍ଦେଶ ଦେଇଛି ପ୍ରତିରକ୍ଷା ମନ୍ତ୍ରାଳୟ । ସେନାର ସ୍ପେସାଲ୍ ଫୋର୍ସକୁ ମଧ୍ୟ ମୁତୟନ କରାଯାଇଛି ।
ଏହାରି ମଧ୍ୟରେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଶାନ୍ତି ପ୍ରତିଷ୍ଠା ପାଇଁ ଜନସାଧାରଣଙ୍କୁ ଅପିଲ କରିଛନ୍ତି । ରାଜପକ୍ଷେ କହିଛନ୍ତି, ‘ଆର୍ଥିକ, ସାମାଜିକ ଏବଂ ରାଜନୈତିକ ସଙ୍କଟରୁ ପାର୍ ହେବା ପାଇଁ ଏବଂ ଆଗକୁ ବଢିବା ପାଇଁ ଶ୍ରୀଲଙ୍କାର ଜନସାଧାରଣଙ୍କୁ ଏକାଠି ହେବାକୁ ପଡିବ’।
ଶ୍ରୀଲଙ୍କାର ପ୍ରତିରକ୍ଷା ମହାସଚିବ କମଲ ଗୁଣରତ୍ନେ ମଧ୍ୟ ଶାନ୍ତି ପ୍ରତିଷ୍ଠା ପାଇଁ ଅପିଲ୍ କରିଛନ୍ତି । ହିଂସାକାଣ୍ଡ ରୋକିବା ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ସେ ଅନୁରୋଧ କରିଛନ୍ତି । ଏହା ସହିତ ଚେତାବନୀ ଦେଇ ସେ କହିଛନ୍ତି, ଯଦି ଲୁଟପାଟ୍ ଏବଂ କୌଣସି ବ୍ୟକ୍ତିଙ୍କ ସମ୍ପତ୍ତି ଉପରେ କ୍ଷତି ପହଞ୍ଚେ ତେବେ ଏଭଳି କାଣ୍ଡ ଭିଆଉଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।
ଶ୍ରୀଲଙ୍କାରେ ଜାରି ରହିଥିବା ଗୃହ ଯୁଦ୍ଧ ଏବେ ଭୀଷଣ ହେବାରେ ଲାଗିଛି । ସରକାରୀ ତଥ୍ୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ୨୫୦ରୁ ଅଧିକ ଆହତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ନିଜ ପଦରୁ ଇସ୍ତଫା ଦେବା ପରେ ତାଙ୍କ ସମର୍ଥକ ଏବଂ ବିରୋଧୀ ସମର୍ଥକଙ୍କ ମଧ୍ୟରେ ହିଂସାକାଣ୍ଡରେ ଭୟଙ୍କର ରୂପ ନେଇଛି । ଏପରିକି ତାଙ୍କ ଘରେ ମଧ୍ୟ ନିଆଁ ଲଗାଇଦେଇଥିଲେ ଉତ୍ତ୍ୟକ୍ତ ଜନତା । ଶ୍ରୀଲଙ୍କାରେ ସ୍ଥିତି ଏପରି ଯେ, ଦେଶବ୍ୟାପୀ କର୍ଫ୍ୟୁ ଜାରି କରାଯାଇଛି । ବିଭିନ୍ନ ସ୍ଥାନରେ ସେନା ମୁତୟନ କରାଯାଇଛି ।