ମୁମ୍ବାଇରେ ଏବେ ହନୁମାନ ଚାଳିଶା ପାଠକୁ ନେଇ ରାଜନୀତି ସରଗରମ ହୋଇଛି । ଏହି ବିବାଦ ଆରମ୍ଭ କରିଥିବା ମହାରାଷ୍ଟ୍ର ନବ ନିର୍ମାଣ ସେନାର ମୁଖ୍ୟ ରାଜ୍ ଠାକରେ ତ ବର୍ତ୍ତି ଯାଇଛନ୍ତି । ହେଲେ ସ୍ୱାଧୀନ ସାଂସଦ ନବନୀତ ରାଣା ଓ ତାଙ୍କ ସ୍ୱାମୀ ରବି ରାଣା ଏବେ ଫଶି ଯାଇଛନ୍ତି ।
ଗତକାଲି ହନୁମାନ ଚାଳିଶା ପଢିବାକୁ ଜିଦ କରି ଗିରଫ ହୋଇଥିବା ଉଭୟ ନବନୀତ ଓ ରବି ଏବେ ୧୪ ଦିନ ପାଇଁ ପୋଲିସ ହେପାଜତକୁ ଯାଇଛନ୍ତି । କୋର୍ଟ ଉଭୟଙ୍କୁ ମଇ ମାସ ୬ ତାରିଖ ପର୍ଯ୍ୟନ୍ତ ଜେଲକୁ ପଠାଇ ଦେଇଛନ୍ତି ।
ଏନେଇ ନବନୀତ ରାଣା କହିଥିଲେ କି ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ମାତୋଶ୍ରୀ ବାହାରେ ହନୁମାନ ଚାଳିଶା ପାଠ କରିବେ । ଏନେଇ ସେ ଶନିବାର ସକାଳ ୯ ଟା ପର୍ଯ୍ୟନ୍ତ ସମୟ ଦେଇଥିଲେ । ହେଲେ ଏହାକୁ ନେଇ ଶନିବାର ଦିନ ନବନୀତ ଦେଇଥିବା ସମୟ ଆଗରୁ ଶିବସେନା କାର୍ଯ୍ୟକର୍ତ୍ତାମାନେ ଖାର ସ୍ଥିତ ନବନୀତଙ୍କ ବାସଭବନ ଆଗରେ ଜମା ହୋଇଯାଇଥିଲେ । ଏହାପରେ ନବନୀତ ଘରୁ ବାହାରକୁ ବାହାରି ନଥିଲେ । ଏହାପରେ ସନ୍ଧ୍ୟାବେଳେ ମୁମ୍ବାଇ ପୋଲିସ ନବନୀତ ଓ ତାଙ୍କ ସ୍ୱାମୀ ରବି ରାଣାଙ୍କୁ ଗିରଫ କରିଥିଲା ।
ମୁମ୍ବାଇ ପୋଲିସ ଧାରା ୧୫୩ ଆଧାରରେ ଦୁଇ ଧର୍ମ ମଧ୍ୟରେ ଶତ୍ରୁତା ସୃଷ୍ଟି କରିବା ଓ ହିଂସାକୁ ଉସକାଇବା ଭଳି ଅଭିଯୋଗରେ ଗିରଫ କରିଥିଲା । ଏହାପରେ ପୋଲିସ ତାଙ୍କୁ ଗିରଫ କରି ମଧ୍ୟ ରାତ୍ରରେ ସାନ୍ତାକ୍ରୁଜ ଥାନାକୁ ନେଇ ଯାଇଥିଲେ ।
ରବିବାର ଦିନ ଉଭୟଙ୍କୁ ପୋଲିସ ବାନ୍ଦ୍ରା କୋର୍ଟରେ ହାଜର କରିଥିଲା । ଏହି ମାମଲାର ଶୂୁଣାଣି କରି ବାନ୍ଦ୍ରା କୋର୍ଟ ଉଭୟଙ୍କୁ ମଇ ମାସ ୬ ତାରିଖ ପର୍ଯ୍ୟନ୍ତ ପୋଲିସ ହେପାଜତରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।