ହଠାତ ଆଇପିଏଲ ଛାଡିଲେ ଆରସିବିର ଦ୍ରୁତ ବୋଲର ହର୍ଷଲ ପଟେଲ

ପୁଣେର ଏନସିଏ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଆଇପିଏଲ ୨୦୨୨ ଖେଳାଯାଉଥିବା ସମୟରେ ଆରସିବିର ଦ୍ରୁତ ବୋଲର ହର୍ଷଲ ପଟେଲଙ୍କ ପାଇଁ ଆସିଛି ଦୁଃଖଦ ଖବର। ମ୍ୟାଚ୍ ସରୁ ସରୁ ହିଁ ସେ ଘର ଅଭିମୁଖେ ବାହାରିଛନ୍ତି। କାରଣ ତାଙ୍କ ଭଉଣୀଙ୍କ ପରଲୋକ ଘଟିଛି।

ଏହି ଦୁଃଖଦ ଘଟଣା ସେହି ସମୟରେ ଘଟିଲା ଯେଉଁ ସମୟରେ ହର୍ଷଲ ପଟେଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ମ୍ୟାଚ୍ ଖେଳୁଥିଲେ।

ହର୍ଷଲଙ୍କ ଭଉଣୀ ଅର୍ଚ୍ଚିତାଙ୍କ ଶନିବାର ମୃତ୍ୟୁ ଘଟିଛି। ଏହି ଖବର ଶୁଣିବା ପରେ ମ୍ୟାଚ୍ ସରୁ ସରୁ ହର୍ଷଲ ଗୋଟିଏ ଦିନ ପାଇଁ ନିଜ ଘରକୁ ଚାଲି ଯାଇଛନ୍ତି। ଭଉଣୀଙ୍କ ଅନ୍ତିମ ସଂସ୍କାର ସରିବା ପରେ ସେ ପୁଣି ଦଳରେ ଯୋଗ ଦେବେ। ହେଲେ କ୍ଵାରେଣ୍ଟାଇନ କାରଣରୁ ତାଙ୍କୁ ତିନି ଦିନ ବାୟୋ ବବଲ ବାହାରେ ରହିବାକୁ ପଡିପାରେ। ତାଙ୍କ ଭଉଣୀ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ।

ଅର୍ଚ୍ଚିତା ପଟେଲ୍ ତିନି ଭାଇ ଭଉଣୀଙ୍କ ମଧ୍ୟରୁ ସବୁଠୁ ସାନ। ହର୍ଷଲ ଭଉଣୀଙ୍କୁ ବହୁତ ଭଲ ପାଉଥିଲେ। ଏହି କାରଣରୁ ତାଙ୍କର ମୃତ୍ୟୁ ଖବର ଶୁଣିବା ମାତ୍ରେ ନିଜ ଘରକୁ ଚାଲି ଯାଇଛନ୍ତି। ୩୧ ବର୍ଷୀୟ ହର୍ଷଲ ପଟେଲ୍ ଗୁଜରାଟର ସାଣନ୍ଦ ନିବାସୀ। ସାଣନ୍ଦ ଅହମ୍ମଦାବାଦ ଜିଲ୍ଲାରେ ଅବସ୍ଥିତ। ସେ ପୁଣେରୁ ସିଧାସଳଖ ଅହମ୍ମଦାବାଦ ଅଭିମୁଖେ ଯାତ୍ରା କରିଛନ୍ତି।