ମୁମ୍ବାଇ: ଜଣେ ନବ ବିବାହିତା ପତ୍ନୀ ବାହାଘରର ମାତ୍ର ତିନି ମାସପରେ ସ୍ୱାମୀଙ୍କୁ ବିଷ ଦେଇ ତଣ୍ଟି ଚିପି ହତ୍ୟା କରିଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଅଭିଯୁକ୍ତା ପତ୍ନୀ କହିଛନ୍ତି ଯେ ସ୍ୱାମୀ ତାଙ୍କର ପସନ୍ଦ ନଥିଲେ। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସ୍ୱାମୀଙ୍କୁ ହତ୍ୟା କରିବା ପରେ ସ୍ତ୍ରୀ ଥାନାରେ ଏତଲା ଦେଇଥିଲେ ଯେ ଘରେ ଚୋରି ପଶି ଆସି ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିଲେ। ପୁଲିସ ମାମଲା ରୁଜ୍ଜୁ କରିବା ପରେ ହତ୍ୟା ଘଟଣାର ତଦନ୍ତ ଆରମ୍ଭ କରିଥିଲା। ମୃତ ସ୍ୱାମୀଙ୍କର ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପୁଲିସର ସନ୍ଦେହ ଆସିଥିଲା ପତ୍ନୀଙ୍କ ଉପରେ। ପୁଲିସ ପଚରାଉଚୁରା କରିବା ପରେ ପତ୍ନୀ ସତ ମାନିଯାଇଥିଲେ। ପୁଲିସ ମୃତ ସ୍ୱାମୀ ଜଗଦୀଶ ସାଲୁଙ୍କେଙ୍କ ପତ୍ନୀ ବୃଷାଳୀଙ୍କୁ ଗିରଫ କରିଥିଲା। ଗିରଫ ହେବାପରେ ବୃଷାଳୀ କହିଥିଲେ ଯେ ବାହାଘର ପରେ ଉଭୟଙ୍କ ମଧ୍ୟରେ ପ୍ରତିଦିନ ଝଗଡ଼ା ହେଉଥିଲା। ଜଗଦୀଶ ତାଙ୍କର ମନଲାଖି ସ୍ୱାମୀ ନଥିଲେ। ଏହି କାରଣରୁ ସେ ଗତ ୬ ତାରିଖ ରାତିରେ ଜଗଦୀଶଙ୍କୁ ବିଷ ଦେବା ପରେ ତଣ୍ଟି ଚିପି ହତ୍ୟା କରିଥିଲେ।
Next Post