ଲୋକଙ୍କୁ ବିଭ୍ରାନ୍ତିକର ତଥ୍ୟ ଦେଉଥିବା ସେନସୋଡାଇନ ଟୁଥପେଷ୍ଟ କମ୍ପାନୀ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଭ୍ରାନ୍ତିକର ବିଜ୍ଞାପନକୁ ତୁରନ୍ତ ହଟାଇବା ସହ କମ୍ପାନୀ ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ଲାଗୁ କରିଛନ୍ତି Central Consumer Protection Authority(ସିସିପିଏ)। ୭ ଦିନ ମଧ୍ୟରେ ସିସିପିଏର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ କମ୍ପାନୀକୁ କୁହାଯାଇଛି।
ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ସେନସୋଡାଇନ ପକ୍ଷରୁ ବିଜ୍ଞାପନ ଜରିଆରେ ଦାବି କରାଯାଉଛି ଯେ ଏହାକୁ ବିଶ୍ୱର ସବୁ ଦନ୍ତ ଚିକିତ୍ସକ ବ୍ୟବହାର କରିବାକୁ ପରାମର୍ଶ ଦେଉଛନ୍ତି। ସେହିପରି ବିଜ୍ଞାପନରେ ଏହା ବିଶ୍ୱର ୧ ନଂ ସେନସେଟିଭିଟି ଟୁଥପେଷ୍ଟ ବୋଲି ଦାବି କରାଯାଇଛି।
ଏପରି ବିଜ୍ଞାପନ ପ୍ରକାଶ କରି କମ୍ପାନୀ ଲୋକଙ୍କୁ ବିଭ୍ରାନ୍ତ କରିଛି। ତେଣୁ ୭ ଦିନ ମଧ୍ୟରେ ଏପରି ବିଜ୍ଞାପନକୁ ହଟାଯିବ। ଏଥିସହ କମ୍ପାନୀ ୧୦ ଲକ୍ଷ ଟଙ୍କା ଫାଇନ ଦାଖଲ କରିବ ବୋଲି ସିସିପିଏ ତା’ର ନିର୍ଦ୍ଦେଶନାମାରେ କହିଛି।
ଏହାପୂର୍ବରୁ ଯେଉଁ ସବୁ ବିଜ୍ଞାପନରେ ବିଦେଶ ଦନ୍ତ ଚିକିତ୍ସିକମାନେ କମ୍ପାନୀ କଥାରେ ଏକମତ ହେଉଥିବା ଦେଖିବାକୁ ମିଳିଥିଲା, ସେଗୁଡ଼ିକୁ ତୁରନ୍ତ ହଟାଇବାକୁ ସେନସୋଡାଇନକୁ କୁହାଯାଇଥିଲା। କମ୍ପାନୀ ପକ୍ଷରୁ ବିଭିନ୍ନ ଟିଭି ଚ୍ୟାନେଲ, ୟୁଟ୍ୟୁବ, ଫେସବୁକ ଓ ଟ୍ୱିଟରରେ ବିଭ୍ରାନ୍ତିକର ବିଜ୍ଞାପନ ପ୍ରକାଶ ପାଉଥିଲା।
ଏହାକୁ ସିସିପିଏ ନିଜ ଆଡ଼ୁ ବିଚାର କରିବାକୁ ଗ୍ରହଣ କରିଥିଲେ। ଏହାପରେ କମ୍ପାନୀକୁ ନୋଟିସ କରାଯାଇଥିଲା। ମାମଲାର ବିଚାର ବେଳେ କମ୍ପାନୀ ବିଜ୍ଞାପନରେ କରୁଥିବା ଦାବିକୁ ନେଇ ଉପଯୁକ୍ତ ପ୍ରମାଣ ରଖି ପାରି ନଥିଲା। ଫଳରେ ସିସିପିଏର ମୁଖ୍ୟ ନିଧି ଖାରେ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।