ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଲାଗି ଏପ୍ରିଲ ୩ ତାରିଖ ପର୍ଯ୍ୟନ୍ତ ସମୟ ଅତ୍ୟନ୍ତ ସଂକଟଜନକ ବୋଲି ଏବେ ବିଚାର କରାଯାଉଛି। ଗୋଟିଏ ପଟେ ନ୍ୟାସନାଲ ଆସେମ୍ବ୍ଲିରେ ଅବିଶ୍ୱାସ ପ୍ରସ୍ତାବ ଆଗତ କରିଥିବା ବିରୋଧୀ ଦଳ ଭୋଟିଂ ଲାଗି ପ୍ରସ୍ତୁତ ହୋଇ ସାରିଥିବା ବେଳେ ଏବେ ଏହା ଉପରେ ରୋକ ଲଗାଇବାକୁ ସରକାର ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି।
ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ସରକାରକୁ ଭାଙ୍ଗିବା ଲାଗି ବିଦେଶୀ ଷଡ଼ଯନ୍ତ୍ରର ସୁରାଗ ଏବେ ଇମ୍ରାନଙ୍କ ହାତରେ ପଡିଯାଇଛି। ଏ ସମ୍ପର୍କିତ ଏକ ପତ୍ରକୁ ନେଇ ସେ ସଂସଦରେ ଭୋଟ ଅଟକାଇବାକୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏ ବାବଦେ ସରକାର ଦାଖଲ କରିଥିବା ପିଟିସନରେ ବିଦେଶୀ ଷଡ଼ଯନ୍ତ୍ର ସମ୍ପର୍କିତ ଏହି ପତ୍ରର ଯାଞ୍ଚ ଲାଗି ଆଦେଶ ଜାରି କରିବାକୁ ନିବେଦନ କରିଛନ୍ତି।
ତେବେ ପତ୍ରର ଯାଞ୍ଚ ନ ସରିବା ପର୍ଯ୍ୟନ୍ତ ନ୍ୟାସନାଲ ଆସେମ୍ବ୍ଲିରେ ଅବିଶ୍ୱାସ ପ୍ରସ୍ତାବ ଉପରେ ଭୋଟିଂ ଟାଳିବାକୁ ନିର୍ଦ୍ଦେଶ ଦେବା ପାଇଁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି। ମିଳୁଥିବା ସୂଚନା ଅନୁସାରେ ପାକିସ୍ତାନରେ ସରକାରଙ୍କ ୨ ପ୍ରମୁଖ ସହଯୋଗୀ ଦଳ ସେମାନଙ୍କ ସମର୍ଥନ ପ୍ରତ୍ୟାହାକର କରି ନେଇଛନ୍ତି। ସାଂସଦଙ୍କ ପକ୍ଷ ବଦଳ ପରେ ୩୪୨ ସଦସୀୟ ନ୍ୟାସନାଲ ଆସେମ୍ବ୍ଲିରେ ସରକାର ନିଜର ସଂଖ୍ୟାଗରିଷ୍ଠତା ହରାଇଛନ୍ତି।
ମିଳୁଥିବା ସୂଚନା ଅନୁସାରେ ଯଦି ଏଥିରେ ବ୍ୟତିକ୍ରମ ହୁଏ ତେବେ ଚଳିବର୍ଷ ଅଗଷ୍ଟମାସରେ ପାକିସ୍ତାନ ପୁଣି ସାଧାରଣ ନିର୍ବାଚନକୁ ଯିବ। ଉପୁଜିଥିବା ପରିସ୍ଥିତିରେ ପାକିସ୍ତାନ ପ୍ୟୁପିଲସ ପାର୍ଟିର ଅଧ୍ୟକ୍ଷ ବିଲାୱଲ ଭୁଟ୍ଟୋ ଜରଦାରୀ କହିଛନ୍ତି ଯେ ରାଜନୈତିକ ସଂକଟର ଏହି କ୍ଷଣରେ ହୁଏତ ବିରୋଧୀ ଦଳ ନେତା ଗୃହରେ ନିଜର ସଂଖ୍ୟା ଗରିଷ୍ଠତା ସାବ୍ୟସ୍ତ କରିବେ ନଚେତ ଇମ୍ରାନଙ୍କୁ ଅବିଶ୍ୱାସ ପ୍ରସ୍ତାବର ସମ୍ମୁଖୀନ ହେବାକୁ ହେବ।ସଂସଦୀୟ ଦଳ ବୈଠକରେ ବିରୋଧୀ ଏବେ ୧୭୨ ସଂଖ୍ୟାର ପୂର୍ଣ୍ଣ ବହୁମତରେ ପହଞ୍ଚି ଯାଇଛନ୍ତି। ସେହି ଅନୁସାରେ ଇମ୍ରାନଙ୍କ ସରକାର ଗୃହରେ ନିଜର ସଂଖ୍ୟାଗରିଷ୍ଠତା ମଧ୍ୟ ହରାଇ ସାରିଛନ୍ତି। ଏଣୁ ଇମ୍ରାନ ନିରବରେ ଇସ୍ତଫା ଦେଇ ସଂସଦରୁ ବାହାରିଯିବା କଥା ବୋଲି ବିଲାୱଲ କହିଛନ୍ତି।