ସାମାଜିକ ଦୂରତ୍ୱକୁ ଗୁରୁତ୍ୱ: ଭିଡିଓ କଲ ମାଧ୍ୟମରେ ନିଜର ଓ ଝିଅର ଜନ୍ମଦିନ ପାଳିବେ ସାଂସଦ ସସ୍ମିତ ପାତ୍ର

ଭୁବନେଶ୍ୱର: କୋରୋନା ଭଳି ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ଚାରିଆଡେ ଭିନ୍ନ ଭିନ୍ନ ଉପାୟରେ ଯୋଜନା ଜାରି ରହିଛି । ବିଶେଷକରି ସାମାଜିକ ଦୂରତ୍ୱକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହି ସମୟରେ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଇ କୌଣସି ପାର୍ଟି, ବିବାହ ଇତ୍ୟାଦି କାର୍ଯ୍ୟକ୍ରମର ଆୟୋଜନ ଉପରେ ରୋକ ଲଗାଯାଇଛି । ତେବେ ଏହା ଉପରେ ଗୁରୁତ୍ୱ ଦେଇ ବିଜେଡି ସାଂସଦ ସସ୍ମିତ ପାତ୍ର ନିଜର ଓ ଝିଅର ଜନ୍ମଦିନ ଧୁମଧାମରେ ପାଳନ ନ କରି ଭିଡିଓ କଲ ସାହାଯ୍ୟରେ ପାଳିବେ ବୋଲି ନିଷ୍ପତି ନେଇଛନ୍ତି ।

ସାଂସଦ ସସ୍ମିତ ପାତ୍ର ଏକ ଭିଡିଓ ଦ୍ୱାରା ଏ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ମୁଁ ବର୍ତମାନ ଦିଲ୍ଲୀରେ ରହୁଛି । ମୋ ଝିଅ ଭୁବନେଶ୍ୱରରେ । ଉଭୟଙ୍କ ଜନ୍ମଦିନ ଗୋଟିଏ ଦିନରେ ଅର୍ଥାତ୍ ମାର୍ଚ୍ଚ ୨୩ରେ ପଡୁଛି । ପ୍ରତ୍ୟେକ ବର୍ଷ ଆମେ ଉଭୟ ମିଶି ଖୁବ୍ ଧୁମଧାମରେ ଜନ୍ମଦିନ ପାଳନ କରୁ । ମାତ୍ର ଏବର୍ଷ ତାହା କରିବୁ ନାହିଁ । ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେଇ ଆମେ ଦୁଇଜଣ ସ୍ଥିର କରିଛୁ କି, ତାଙ୍କ ଝିଅ ଦିଲ୍ଲୀ ଆସିବ ନାହିଁ କି ମୁଁ ଭୁବନେଶ୍ୱର ହିବିନି । ଜନ୍ମଦିନ ଆମେ ଉଭୟ ଭିଡିଓ କଲ ମାଧ୍ୟମରେ ଏକା ସମୟରେ କେକ୍ କାଟି ଜନ୍ମଦିନ ପାଳନ କରିବୁ । ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦେଇ ଆମେ ଏଭଳି ନିଷ୍ପତି ନେଇଥିବା ସେ କହିଛନ୍ତି ।