ଯୁଦ୍ଧ ଏବଂ ଉଗ୍ରବାଦର ମୁକାବିଲା ସମୟରେ ସହିଦ ହେଉଥିବା ଓଡ଼ିଆ ଯବାନମାନଙ୍କ ପରିବାର ପାଇଁ ରାଜ୍ୟ ସରକାର ସହାୟତା ରାଶି ପରିମାଣକୁ ୫ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ସମାରିକ ତଥା ଅର୍ଦ୍ଧ ସମାରିକ ବାହିନୀରେ ରହି ଦେଶ ପାଇଁ ପ୍ରଣାବଳି ଦେଉଥିବା ଯବାନ ଓ ଅଫିସରମାନଙ୍କ ପରିବାରର କଲ୍ୟାଣ ପାଇଁ ରାଜ୍ୟ ସରକାର କାର୍ଗିଲ ଯୁଦ୍ଧ ସମୟରୁ ସହିଦ ପରିବାର କଲ୍ୟାଣ ପାଇଁ ଏକ ସହାୟତା ପାଣ୍ଠି ଗଠନ କରିଛନ୍ତି ।
ପ୍ରାଥମିକ ଭାବରେ ଏହି ସହାୟତା ରାଶି ୧ ଲକ୍ଷ ଟଙ୍କା ରହିଥିଲା । ୨୦୧୦ ଓ ୨୦୧୨ରେ ଏହାକୁ ଯଥାକ୍ରମେ ୨ ଲକ୍ଷ ଓ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା । ଏବେ ଏହାକୁ ୧୦ ଲକ୍ଷ ଟଙ୍କା କରାଯାଇଛି ।