ସଚିନଙ୍କ ସୁରକ୍ଷା ପ୍ରତ୍ୟାହାର କଲେ ଉଦ୍ଧବ ସରକାର

ମୁମ୍ବାଇ: ଭାରତ ରତ୍ନ ସଚିନ ତେନ୍ଦୁଲକରଙ୍କ ଏକ୍ସ କ୍ୟାଟାଗୋରୀ ସୁରକ୍ଷା ପ୍ରତ୍ୟାହାର କରିଛନ୍ତି ମହାରାଷ୍ଟ୍ର ସରକାର । ତେବେ ସଚିନଙ୍କ ସୁରକ୍ଷା ପ୍ରତ୍ୟାହାର କରିଥିବାବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କ ସୁରକ୍ଷା ୱାଇ ପ୍ଲସରୁ ବଢ଼ାଯାଇ ଜେଡ୍ କ୍ୟାଟାଗୋରୀକୁ କରାଯାଇଛି। ସେହିପରି ସମାଜସେବୀ ଆନ୍ନା ହଜାରେଙ୍କ ସୁରକ୍ଷା ବଢ଼ାଯାଇ ଜେଡ୍ ସୁରକ୍ଷା ଅନ୍ତର୍ଭକ୍ତ କରିଛନ୍ତି ସରକାର।

ମହାରାଷ୍ଟ୍ର ପୋଲିସ ଅଧିକାରୀଙ୍କ ସୁଚନା ଅନୁଯାୟୀ ସଚିନଙ୍କ ସୁରକ୍ଷା ବ୍ୟବସ୍ଥା ଏକ୍ସ କ୍ୟାଟାଗୋରୀ ଅନ୍ତର୍ଭୁକ୍ତ ଥିଲା। ତାଙ୍କ ସହିତ ଜଣେ ପୁଲିସ କନେଷ୍ଚବଳ ଚବିଶ ଘଂଟା ରହୁଥିଲେ। ଏବେ ଏହି ସୁରକ୍ଷା ମହାରାଷ୍ଚ୍ର ସରକାର ପ୍ରତ୍ୟାହାର କରିଛନ୍ତି। ସଚିନଙ୍କ ବ୍ୟତୀତ ମହାରାଷ୍ଟ୍ରର ବିଜେପି ନେତା ଏକନାଥ ଖଡସେଙ୍କୁ ଓ୍ୱାଇ କ୍ୟାଟାଗୋରୀରେ ସୁରକ୍ଷା ଦିଆଯାଉଥିଲା। ଏଥିସହ ପୋଲିସ ଏସ୍କଟର ସୁବିଧା ରହିଥିଲା। ଏବେ ଏହି ଏସ୍କଟ ସୁବିଧା ହଟାଇଛନ୍ତି ଉଦ୍ଧବ ସରକାର। ଜଣେ ଆଇପିଏସ ଅଧିକାରୀଙ୍କ ସୂଚନା ଅନୁଯାୟୀ ସଚିନଙ୍କ ସୁରକ୍ଷା ପାଇଁ ସରକାର ପୋଲିସ ଏସ୍କଟର ସୁବିଧା ଦେଇପାରନ୍ତି।

ଏହା ବ୍ୟତୀତ ଉତର ପ୍ରଦେଶ ପୂର୍ବତନ ରାଜ୍ୟପାଳ ରାମ ନାଇକଙ୍କୁ ଜେଡ୍ ପ୍ଲସ ସୁରକ୍ଷା ଯୋଗାଯାଇଥିଲା। ଏବେ ସୁରକ୍ଷାରେ ଢ଼ିଲା କରାଯାଇ ତାଙ୍କୁ ଏକ୍ସ କ୍ୟାଟାଗୋରୀର ଅନ୍ତର୍ଭୁକ୍ତ କରାଯାଇଛି। ସେହିପରି ଆଇନଜୀବୀ ଉଜ୍ଜଳ ନିକମଙ୍କ ସୁରକ୍ଷା ଜେଡ୍ ପ୍ଲସରୁ ପ୍ରତ୍ୟାହାର କରାଯାଇ ଏସ୍କଟ ସହିତ ଓ୍ୱାଇ ଶ୍ରେଣୀ ସୁରକ୍ଷା ଦିଆଯାଇଛି।

ମଙ୍ଗଳବାର ସୁବେରେ ମହାରାଷ୍ଟ୍ର ସରକାର ରାଜ୍ୟର ଭିଭିଆଇପିଙ୍କ ସୁରକ୍ଷା ବ୍ୟବସ୍ଥା ବାବଦରେ ସମୀକ୍ଷା ବୈଠକ କରିଥିଲେ। ଯେଉଁଥିରେ ରାଜ୍ୟର ଅନେକ ଭିଭିଆଇପି ବ୍ୟକ୍ତିଙ୍କ ସୁରକ୍ଷାରେ ପରିବର୍ତନ କରାଯାଇଛି।