ଶ୍ରୀମନ୍ଦିର ରୋଷଘରେ ଚୁଲି ଭାଙ୍ଗିବା ଘଟଣା; ତଦନ୍ତ ପାଇଁ ୨ ଜଣିଆ କମିଟି ଗଠନ

ଶ୍ରୀମନ୍ଦିରର ରୋଷଘରେ ଚୁଲି ଭାଙ୍ଗିବା ଘଟଣାର ତଦନ୍ତ ପାଇଁ ୨ ଜଣିଆ କମିଟି ଗଠନ ହୋଇଛି। ସୁରକ୍ଷା ପ୍ରଶାସକ ଓ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କୁ ନେଇ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ୪ଜଣଙ୍କୁ ଜେରା କରାଯାଇଛି। ଧୋପଖାଳ, ପାଇକ, ଦ୍ବାରପାଳିଆ ଓ ଅଙ୍ଗାରିଆ‌ ସେବାୟତଙ୍କୁ ଜେରା କରାଯାଇଛି।

ଶ୍ରୀମନ୍ଦିର ରୋଷଘରେ ଆଜି ୪୦ରୁ ଅଧିକ ଚୁଲିକୁ ଭାଙ୍ଗି ଦିଆଯାଇଛି। ପିଠାଆଡ଼ର ୧୫, ଥାଳି ଆଡର ୧୦/୧୨ଟି, ସାତପୁରୀର ୧୦/୧୨ଟି, ଅହିଆ(ଡ଼ାଲି, ତରକାରୀ ରନ୍ଧା ପାଇଁ ବଡ ଚୁଲି) ୨ଟା, କୋଠ ଭୋଗ ଚୁଲି ୨ଟା, ତୁଣ ସୁଆରଙ୍କ ୨ଟି ଚୁଲି ଆଦି ରହିଛି। ଗତକାଲି ବଡ଼ସିଂହାର ଭୋଗ ଶେଷ ପରେ ଏଭଳି କାଣ୍ଡ କେହି ଭିଆଇ ଥିବା ଅନୁମାନ କରାଯାଉଛି। ଚୁଲିକୁ ନେଇ ସେବାୟତଙ୍କ ବିବାଦ ଏହାର କାରଣ ବୋଲି କେହି କହୁଛନ୍ତି। ଅନ୍ୟପଟେ ରୋଷ ଦୁଆରୀ, ରୋଷ ପାଇକ ପାଉଣା ବିବାଦ ପାଇଁ ଏଭଳି ହୋଇଥାଇପାରେ ବୋଲି କେହି କେହି କହୁଛନ୍ତି।

ରୋଷ ଘରେ ସିସି ଟିଭି ଲାଗିଥିବାରୁ ଏହାର ବିଧିବଦ୍ଧ ଯାଂଚ ପାଇଁ ସେବାୟତ ମହଲ ଦାବି କରିଛନ୍ତି। କୋଠ ଭୋଗ ଚୁଲା ଭାଙ୍ଗି ଯାଇଥିବାରୁ ବହୁ ଦିନ ପରେ ଆଜି କଡେଇରେ କୋଠ ଭୋଗ ପ୍ରସ୍ତୁତ ହୋଇ ମହାପ୍ରଭୁଙ୍କୁ ଲାଗି ହୋଇଛି। ସେପଟେ ଚୁଲି ଭାଙ୍ଗି ଯାଇଥିବାରୁ ଭଅଣ୍ଡ ଉଠିବା ଓ ଲୋକେ ବରାଦି ଅବଢା ପାଇବା ବିଳମ୍ବ ହେବ ବୋଲି ଆଶଙ୍କା କରାଯାଉଛି।