ଶେହବାଜଙ୍କ ମନ୍ତ୍ରୀମଣ୍ଡଳରେ ମହିଳାମାନଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ପଦବୀ

ଇମ୍ରାନ ସରକାରର ପତନ ଘଟିବା ପରେ ଏବେ ନୂଆ ମନ୍ତ୍ରିମଣ୍ଡଳ ଗଢ଼ିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ । କ୍ଷମତାକୁ ଆସିବା ପରେ ଆଜି ଶେହବାଜଙ୍କ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିଥିବା ଜଣାପଡ଼ିଛି । ପାକିସ୍ତାନ ସଂସଦର ଅଧ୍ୟକ୍ଷ ସାଦିକ ସଞ୍ଜାରାଣୀ ସମସ୍ତଙ୍କୁ ଶପଥ ପାଠ କରାଇଛନ୍ତିି । ମନ୍ତ୍ରିମଣ୍ଡଳରେ ଶେହବାଜଙ୍କ ତିନିଜଣ ପରାମର୍ଶଦାତାଙ୍କୁ ସାମିଲ କରାଯାଇଥିବା ବେଳେ ପାକିସ୍ତାନର କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋଟ ୩୭ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଥିବା ଜଣାପଡ଼ିଛି ।

ଶେହବାଜ ଶରିଫ ଏକ ଟୁଇଟରେ କହିଛନ୍ତି ଯେ, ପିଏମଏଲ-ଏନ ନେତା ନୱାଜ ଶରିଫ ଏବଂ ସରକାରଙ୍କ ଗଠବନ୍ଧନ ସହଯୋଗୀମାନଙ୍କ ସହ ପରାମର୍ଶ ପରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ଗଠନ କରାଯାଇଛି ।

ଶେହବାଜଙ୍କ କ୍ୟାବିନେଟରେ ମହିଳାମାନଙ୍କୁ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିିଛି । ପିଏମଏଲ-ଏନର ମରିୟମ ଔରାଙ୍ଗଜେବଙ୍କୁ ସୂଚନା ମନ୍ତ୍ରୀ ଏବଂ ଆଜମ ନାଜିର ତରାରଙ୍କୁ ଆଇନ ମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଛି । ଏହା ସହ ପିଏମଏଲ-ଏନର ଏହସାନ ଇକବାଲ ଯୋଜନା ଏବଂ ବିକାଶ ମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିବା ବେଳେ ପିପିପିର ହିନା ରବ୍ୱାନୀ ଖାରଙ୍କୁ ବୈଦେଶିକ ମନ୍ତ୍ରାଳୟ ଦାୟିତ୍ୱ ଦିଆଯାଇଛି । ତାଙ୍କୁ ଶେହବାଜ କ୍ୟାବିନେଟରେ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ମିଳିଛି । ଏହା ସହ ପିଏମଏଲ-ଏନର ରାଣା ସନା ଉଲ୍‌ହାହଙ୍କୁ ଗୃହ ମନ୍ତ୍ରାଳୟର ଦାୟିତ୍ୱ ଦିଆଯାଇଛି । ସୋମବାର ପାକିସ୍ତାନରେ ଶେହବାଜଙ୍କ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବାର ଥିଲା । କିନ୍ତୁ ରାଷ୍ଟ୍ରପତି ଆରିଫ ଅଲଭି ସାଂସଦମାନଙ୍କୁ ଶପଥ ଗ୍ରହଣ କରାଇବାକୁ ମନା କରି ଦେବାରୁ ଏହି ଉତ୍ସବ ମଙ୍ଗଳବାରକୁ ଘୁଞ୍ଚାଇ ଦିଆଯାଇଥିଲା ।