ଶିଳ୍ପା ସେଟ୍ଟୀଙ୍କ ମା’ଙ୍କ ବିରୋଧରେ ଓ୍ଵାରେଣ୍ଟ ଜାରି ହୋଇଛି । ଶିଳ୍ପା ସେଟ୍ଟୀଙ୍କ ମା’ ସୁନନ୍ଦା ସେଟ୍ଟୀଙ୍କ ବିରୋଧରେ ଠକେଇ ଅଭିଯୋଗ ହେବା ପରେ ଜାମିନଯୁକ୍ତ ଓ୍ଵାରେଣ୍ଟ ଜାରି କରାଯାଇଛି।
ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ମା’ ସୁନନ୍ଦାଙ୍କ ବିରୋଧରେ ୨୧ ଲକ୍ଷ ଟଙ୍କାର ଋଣ ସୁଝି ନ ପାରିବା ନେଇ ମୁମ୍ବାଇର ଏକ କୋର୍ଟ ଜାମିନଯୁକ୍ତ ଓ୍ଵାରେଣ୍ଟ ଜାରି କରିଛନ୍ତି।
ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ ଆର୍ ଆର୍ ଖାନ ଏହା ପୂର୍ବରୁ ଶିଳ୍ପା ତାଙ୍କ ମା’ ସୁନନ୍ଦା ଓ ଭଉଣୀ ଶମିତାଙ୍କୁ ଠକେଇ ମାମଲାରେ ଏକ ସମନ ଜାରି କରିଥିଲେ। ସୋମବାର ସେସନ୍ସ ଜଜ୍ ଏଜେଡ୍ ଖାନ ଶିଳ୍ପା ଓ ଶମିତାଙ୍କ ବିରୋଧରେ ମାଜିଷ୍ଟ୍ରେଟ୍ଙ୍କ ଆଦେଶ ଉପରେ ରୋକ୍ ଲଗାଇ ଥିବା ବେଳେ ତାଙ୍କ ମା’ ସୁନନ୍ଦାଙ୍କ ନାମରେ ଓ୍ଵାରେଣ୍ଟ ଜାରି କରିଥିଲେ।
ଏହି ୩ ଜଣଙ୍କ ବିରୋଧରେ ଜୁହୁ ପୁଲିସ ଷ୍ଟେସନରେ ଠକେଇ ମାମଲା ରୁଜୁ କରିଥିବା ବ୍ୟବସାୟୀ ଦାବି କରିଥିଲେ ଯେ ଶିଳ୍ପାଙ୍କ ଦିବଂଗତ ବାପା ସୁରେନ୍ଦ୍ର ସେଟ୍ଟୀ ୨୦୧୫ରେ ଉଧାର ନେଇଥିଲେ। ସେଟ୍ଟୀ ପରିବାରକୁ ଜାନୁଆରି ୨୦୧୭ରେ ଏହି ଧାର ଟଙ୍କା ସୁଝିବାର ଥିଲା, କିନ୍ତୁ ପରିବାର ଏହି ଟଙ୍କା ଦେଇ ପାରିବେ ନାହିଁ ବୋଲି ମନା କରି ଦେଇଥିଲେ। ଏନେଇ ବ୍ୟବସାୟୀ ମା’ ଝିଅ ତିନିଜଣଙ୍କ ବିରୋଧରେ ୨୧ଲକ୍ଷ ଟଙ୍କାର ଠକେଇ ଅଭିଯୋଗ କରିଥିଲେ। ତେବେ ଏହି ମାମଲାରେ ଆଗାମୀ ଶୁଣାଣି ମାର୍ଚ୍ଚ ୨୫ରେ ହେବ ବୋଲି କୁହାଯାଉଛି।