ଲକ୍ ଡାଉନ୍ ରେ ସାମିଲ ହେଲା ଆଉ ୯ ଜିଲ୍ଲା

ଭୁବନେଶ୍ୱର: କୋରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟସରକାର ପ୍ରତ୍ୟେକ ଦିନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ପୂର୍ବରୁ ୫ଟି ଜିଲ୍ଲା ଓ ୮ଟି ସହର ଉପରେ ଲକ୍ ଡାଉନ୍ ଘୋଷଣା କରାଯାଇଥିବାବେଳେ ଆଜି ରାଜ୍ୟ ସରକାର ଲକ୍ ଡାଉନ୍ କୁ ସଂପ୍ରସାରଣ କରି ଆଉ ୯ଟି ଜିଲ୍ଲାକୁ ସାମିଲ କରିଛନ୍ତି । ବତର୍ମାନ ନୂତନ ନିୟମ ଅନୁସାରେ ମୋଟ ୧୪ଟି ଜିଲ୍ଲାରେ ଲକ୍ ଡାଉନ୍ ଘୋଷଣା କରାଯାଇଛି ।

ତେବେ ଏହି ଲକ୍‌-ଡାଉନ୍‌ ସମୟରେ ପୂର୍ବ ସୂଚନା ଅନୁସାରେ ଜରୁରୀ ସେବା ଅବ୍ୟାହତ ରହିବ । ହସ୍‌ପିଟାଲ, ଖାଦ୍ୟ ସାମଗ୍ରୀ ଦେକାନ ଓ ଔଷଧ ଦୋକାନ ଖୋଲା ରହିବ। ନୂତନ ଭାବେ ଲକଡାଉନରେ ସାମିଲ ହୋଇଥିବା ୯ ଜିଲ୍ଲାରେ ମାର୍ଚ୍ଚ ୨୪ ତାରିଖ ସକାଳ ୭ଟା ଠାରୁ ଜାରି ହେବ କଟକଣା।

ଲକ୍‌-ଡାଉନ୍‌ ଘୋଷଣା ହୋଇଥିବା ନୂତନ ୯ଟି ଜିଲ୍ଲା ମଧ୍ୟରେ ପୁରୀ. ନୟାଗଡ଼, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ଢ଼େଙ୍କାନାଳ, ସମ୍ବଲପୁର ଓ ଝାରସୁଗୁଡା ରହିଛି। ପୂର୍ବରୁ ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡା ଓ ଅନୁଗୁଳ ଜିଲ୍ଲାକୁ ଲକ୍‌-ଡାଉନ୍‌ ଘୋଷଣା କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଏହି ୫ଟି ଜିଲ୍ଲାର ସବୁ ସହର ଓ ସବୁ ଗାଁ ସହିତ ସମ୍ବଲପୁର, ଝାରସୁଗୁଡା, ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ ଏବଂ ଯାଜପୁର ଟାଉନ ଗତ ୨୨ ମାର୍ଚ୍ଚ ରବିବାର ସକାଳ ୭ଟା ରୁ ୨୯ ମାର୍ଚ୍ଚ ରାତି ୯ଟା ପର୍ଯ୍ୟନ୍ତ ପ୍ରାୟ ସଂପୂର୍ଣ୍ଣ (ନିଅର୍‌ ଟୋଟାଲ୍‌) ଲକ୍‌ ଡାଉନ୍‌ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ।