ରୁଷର ବଡ଼ ଘୋଷଣା; ୟୁକ୍ରେନ ସହ ଯୁଦ୍ଧରେ ପରମାଣୁ ବୋମାର ବ୍ୟବହାର କରିବ ନାହିଁ

ୟୁକ୍ରେନ ରୁଷ ଯୁଦ୍ଧକୁ ୭୦ ଦିନରୁ ଅଧିକ ହୋଇଛି। ଯୁଦ୍ଧ ଥମିବାର ନାଁ ଧରୁନାହିଁ। ଅନେକ ଥର ପରମାଣୁ ଯୁଦ୍ଧର ଧମକ ମଧ୍ୟ ଦେଇ ସାରିଛି ରୁଷ। ଏହାରି ଭିତରେ ଶୁକ୍ରବାର ରୁଷ ବଡ଼ ଘୋଷଣା କରି ୟୁକ୍ରେନ ଯୁଦ୍ଧରେ ପରମାଣୁ ବୋମାର ବ୍ୟବହାର କରିବ ନାହିଁ ବୋଲି କହିଛି।

ମସ୍କୋରେ ସାମ୍ୱାଦିକଙ୍କୁ ପ୍ରତିକ୍ରିୟା ଦେଇ ରୁଷର ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତା ଅଲେକ୍ସି ଜାଇଟସେଭ କହିଛନ୍ତି, ୟୁକ୍ରେନରେ କ୍ରେମଲିନ ଦ୍ୱାରା ଜାରି ସ୍ୱତନ୍ତ୍ର ସୈନ୍ୟ ଅପରେସନରେ ଅଣବିକ ଅସ୍ତ୍ରର ବ୍ୟବହାର କରାଯିବ ନାହିଁ।

ଏପ୍ରିଲ ୧୪ରେ ସିଆଇଏର ନିର୍ଦ୍ଦେଶକ ୱିଲିୟମ ବର୍ଣ୍ଣ ଦାବି କରି କହିଥିଲେ, ଯୁଦ୍ଧରେ ଆଣବିକ ଅସ୍ତ୍ରର ପ୍ରୟୋଗ କରିପାରେ ରୁଷ। ଆଣବିକ ଅସ୍ତ୍ରର ପ୍ରୟୋଗର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ ବୋଲି ସେ କହିଥିଲେ। ଉଲ୍ଲେଖଯୋଗ୍ୟ ଯେ, ଗତ ସପ୍ତାହରେ ରୁଷ ବୈଦିଶକ ମନ୍ତ୍ରୀ ପରମାଣୁ ଯୁଦ୍ଧର ଚେତାବନୀ ଦେଇଥିଲେ। ଆମେରି କିମ୍ୱା ଅନ୍ୟ କୌଣସି ମିତ୍ରରାଷ୍ଟ୍ରରେ ଯୁଦ୍ଧରେ ମୁଣ୍ଡ ପୁରାନ୍ତି ତେବେ ପରମାଣୁ ଯୁଦ୍ଧ ହୋଇପାରେ।