ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଉଦ୍‌ଯାପିତ ପ୍ରାୟ ୮୪ ଲକ୍ଷ ଟଙ୍କାର ବିକି୍ରବଟା

ଭୁବନେଶ୍ୱର :  ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ଫେବୃଆରୀ ୨୩ ତାରିଖଠାରୁ ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଆଜି ଶେଷ ହୋଇଛି ।
ଆଜି ଶେଷ ସନ୍ଧ୍ୟାରେ ବିଶେଷ ଜନଗହଳି ହୋଇଥିଲା । ପ୍ରଦର୍ଶନୀରେ ଭାଗ ନେଇଥିବା କାରିଗରମାନେ ସେମାନଙ୍କର ଭଲ ବିକି୍ରବଟା ହୋଇଥିବାରୁ ଅତ୍ୟନ୍ତ ଉତ୍ସାହିତ ଥିଲେ । ନବରଙ୍ଗପୁରର ଜନଜାତି ଅଳଙ୍କାର ଷ୍ଟଲରେ ବିଶେଷ ଗହଳି ପରିଲକ୍ଷିତ ହୋଇଥିଲା । ବିଭିନ୍ନ ହସ୍ତଶିଳ୍ପ ସମବାୟ ସମିତିମାନେ ମଧ୍ୟ ଭଲ କାରବାର କରିଥିଲେ । ଏଥର ଏହି ପ୍ରଦର୍ଶନୀରେ ପୁରସ୍କାରପ୍ରାପ୍ତ ହସ୍ତଶିଳ୍ପୀମାନଙ୍କ ଗ୍ୟାଲେରୀ ବିଶେଷ ଆକର୍ଷଣୀୟ ହୋଇଥିଲା । ପ୍ରଦର୍ଶନୀରେ ସବାଇ ଘାସର ବିଭିନ୍ନ ପ୍ରକାର ଗାଲିଚା, ବାସ୍କେଟ ଓ ଅନ୍ୟାନ୍ୟ ସାମଗ୍ରୀ ବେଶ୍‌ ସୁନ୍ଦର ଭାବେ ପ୍ରସ୍ତୁତ କରାଯାଇଥିବାର ଲକ୍ଷ୍ୟ କରାଯାଇଥିଲା । କାଠ ଓ ବାଉଁଶରେ ତିଆରି ପେନ୍‌ ଷ୍ଟାଣ୍ଡ, ଫୁଲଦାନୀ, ଲ୍ୟାମ୍ପସେଟ୍‌, ୱାଲ୍‌ ହ୍ୟାଙ୍ଗିଂ ବିଭିନ୍ନ ରଙ୍ଗୀନ୍‌ ଚିତ୍ରରେ ଚିତି୍ରତ କରାଯାଇ କାରିଗରମାନଙ୍କ ଦ୍ୱାରା ପ୍ରଦର୍ଶନ ଓ ବିକ୍ରୟ କରାଯାଇଥିଲା । ନଡ଼ାକୁ ଖଣ୍ଡଖଣ୍ଡ କରି ପ୍ରକ୍ରିୟାକରଣ ପରେ ଭିନ୍ନ ଭିନ୍ନ ରଙ୍ଗରେ ପ୍ରସ୍ତୁତ କାଠିକୁ କାରିଗରୀ ଦ୍ୱାରା ବିଭିନ୍ନ ଆକୃତିର ଦେବଦେବୀ, ପଶୁପକ୍ଷୀ, ପାହାଡ଼, ପର୍ବତ ଓ ଗଛଲତା ଆଦିର ଦୃଶ୍ୟକୁ ସୁନ୍ଦର ଓ ଆକର୍ଷଣୀୟ ଭାବେ ପ୍ରସ୍ତୁତ କରାଯାଇଥିଲା ।
ଆଜି ସନ୍ଧ୍ୟାରେ ଜାତୀୟସ୍ତରରେ ସୁନାମ ଅର୍ଜନ କରିଥିବା କଣ୍ଠଶିଳ୍ପୀ ରୋଜାଲିନ୍‌ ସାହୁ ଓ ଯାଜ୍ଞସେନୀ ସୁଗମ ସଂଗୀତ ପରିବେଷଣ କରିଥିଲେ । ଶିଶୁ କଳାକାର ତି୍ରନୟନ ପ୍ରିୟଦର୍ଶନ ମିଶ୍ର ଶାସ୍ତ୍ରୀୟ ସଂଗୀତ ଗାନ କରିଥିବାବେଳେ କୁମାର ବିଷ୍ଣୁଙ୍କର ଓଡ଼ିଆ ଓ ହିନ୍ଦୀ ଚଳଚ୍ଚିତ୍ର ସଂଗୀତ ଓ ଆଧୁନିକ ସୁଗମ ସଂଗୀତ ଦର୍ଶକମାନଙ୍କୁ ବିମୋହିତ କରିଥିଲା । ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶକ ଶ୍ରୀ ସନାତନ ନାୟକ ଅଂଶଗ୍ରହଣକାରୀ ସମସ୍ତ କାରିଗରମାନଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରି ଏହି ଭଳି ଅଧିକ ଭଲ ଜିନିଷ ପ୍ରସ୍ତୁତ କରିବା ସହିତ ପ୍ରଦର୍ଶନୀରେ ଅଂଶଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ ।
ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀରେ ସରକାରଙ୍କର କୋଭିଡ୍‌ ନିୟମାବଳୀକୁ ସଂପୂର୍ଣ୍ଣ ଭାବେ ଅନୁପାଳନ କରାଯାଇଥିଲା । ଏହି ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀରେ ପ୍ରାୟ ୮୪ ଲକ୍ଷ ଟଙ୍କାର ବିକି୍ରବଟା ହୋଇଛି ବୋଲି ବିଭାଗ ସୂତ୍ରରୁ ପ୍ରକାଶ ।