ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତା

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତା ଦେଇଛନ୍ତି । ସେ କହିଛନ୍ତି ଯେ, ଆପଣମାନେ କରୋନାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଯେଭଳି ଭାବେ ସହଯୋଗ ଓ ସମର୍ଥନ ଯୋଗାଇଛନ୍ତି ସେଥିପାଇଁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଜଣାଉଛି ।

ମୁଁ ଭାଣେ ଏଥିପାଇଁ ଆପଣମାନଙ୍କୁ, ଆମ ସମସ୍ତଙ୍କୁ ବହୁତ କଷ୍ଟ ସ୍ୱୀକାର କରିବାକୁ ପଡୁଛି । ଅନେକ ତ୍ୟାଗ କରିବାକୁ ପଡୁଛି । କିନ୍ତୁ ପରିସ୍ଥିତିର ମୁକାବିଲା କରିବା ପାଇଁ ଏହା ହିଁ ଏକମାତ୍ର ବାଟ ।

ଗତ ମାର୍ଚ୍ଚ ୧୫ ତାରିଖରେ ରାଜ୍ୟର ପ୍ରଥମ କରୋନାର କେସ୍ ଆସିଲା ତା’ ପରଠାରୁ ଆଜି ପର୍ଯ୍ୟନ୍ତ ୪୨ଟି କେସ୍ ଆସିଛି । ଏହି ସମୟ ମଧ୍ୟରେ ଆପଣମାନଙ୍କ ଶୃଙ୍ଖଳା ଓ ତ୍ୟାଗ ପରିସ୍ଥିତିର ମୁକାବିଲା ପାଇଁ ଆମକୁ ଶକ୍ତି ଦେଇଛି ।

ଏହି ସମୟ ମଧ୍ୟରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାରେ କରୋନା କେସ ୩୦୦୦ ରୁ ଆସି ୪ ଲକ୍ଷରେ ପହଂଚିଛି । ୯/୧୧ ଆତଙ୍କବାଦୀ ଆକ୍ରମଣଠାରୁ ଆରମ୍ଭ କରି ବିଭିନ୍ନ ଯୁଦ୍ଧରେ ଆମେରିକାର ଯେତେ ଲୋକ ପ୍ରାଣବଳା ଦେଇଥିଲେ ତାଠାରୁ ଅଧିକ ଲୋକ କରୋନାର ଶିକାର ହୋଇଛନ୍ତି । ତଥାପି ଆମେରିକା ସମ୍ପୂର୍ଣ୍ଣଭାବେ ଲକ୍ ଡାଉନ୍ କରିନାହିଁ ।

ଏହି କଠିନ ପରିସ୍ଥିତିରେ ଆମକୁ ମଣିଷ ଜୀବନ ଓ ଅର୍ଥନୀତି ମଧ୍ୟରେ ନିଷ୍ପତି ନେବାକୁ ହେଇଛି । ଏହି କଠିନ ପରିସ୍ଥିତି;ର ମଣିଷ ଜୀବନକୁ ହିଁ ଅଧିକ ଗୁରୁତ୍ୱ ଦେଇ ଆମେ ନିଷ୍ପତି ନେଇଛୁ ।

ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମେ ଲକ୍ ଡାଉନ୍ ସମୟସୀମାକୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତି କଲୁ । ରାଜ୍ୟ କ୍ୟାବିନେଟ୍ ଆଜି ଲକ୍ ଡାଉନ୍ ସମୟ ସୀମା ଏପ୍ରିଲ ୩୦କୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କରିଛି । ସେହିପରି ଏପ୍ରିଲ ୩୦ ପର୍ଯ୍ୟନ୍ତ ରେଳ ଓ ବିମାନ ସେବା ବନ୍ଦ ରଖିବା ପାଇଁ ଆମେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛୁ ।

ଓଡ଼ିଶା ବାହାରେ ବିଭିନ୍ନ ରାଜ୍ୟରେ ରହିଯାଇଥିବା ଆମର ଶ୍ରମିକ ଭାଇ ଭଉଣୀମାନଙ୍କ ଯତ୍ନ ନେବା ପାଇଁ ଆମେ ସେସବୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛୁ । ଓଡ଼ିଶା ସରକାର ମଧ୍ୟ ଓଡ଼ିଶାରେ ରହିଯାଇଥିବା ଅନ୍ୟ ରାଜ୍ୟର ଶ୍ରମିକ ବନ୍ଧୁମାନଙ୍କୀ ଯତ୍ନ ନେଉଛନ୍ତି ।

ଏିଂ ଲକ୍ ଡାଉନ୍ ସମୟରେ କୃଷି କାର୍ଯ୍ୟ ଜାରି ରହିବ । ଗରିବ ଲୋକଙ୍କୁ ରୋଜଗାର ଦେବା ପାଇଁ ଏନଆରଇଜିଏସ୍ କାର୍ଯ୍ୟକ୍ରମ ଜାରି ରହିବ । କିନ୍ତୁ ଏସବୁ କାମରେ ସାମାଜିକ ଦୂରତ୍ୱକୁ କଡାକଡି ଭାବେ ପାଳନ କରାଯିବ । ଲୋକଙ୍କ ଖାଦ୍ୟ ନିରାପତା ଆମ ପାଇଁ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ତେଣୁ ଲକ୍ ଡାଉନ୍ ସମୟରେ ଯେପରି ମାଲ ପରିବହନରେ ବାଧା ସୃଷ୍ଟି ନ ହୁଏ ସେଥିପାଇଁ ସରକାର ଆକଶ୍ୟକ ପଦକ୍ଷେପ ନେଇଛନ୍ତି ।

ରାଜ୍ୟରେ କୋଭିଡର ଟେଷ୍ଟିଂ ଓ ଚିକିତ୍ସା ସୁବିଧା ବିକାଶ କରିବା ପାଇଁ ଆମେ ପଦକ୍ଷେପ ନେଉଛୁ । ଯେଉଁ ଡାକ୍ତରମାନେ ମୋର ଅନୁରୋଧ ରକ୍ଷାକରୀ ଟେଲିମେଡିସିନ୍ ସେବା ଯୋଗାଇଦେବା ପାଇଁ ଆଗେଇ ଆସିଛନ୍ତି ସେମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି । ଏହା ସହ ରାଜ୍ୟର ସମସ୍ତ ସ୍କୁଲ, କଲେଜ ଜୁନ୍ ୧୭ ଯାଏଁ ବନ୍ଦ ରହିବ ।

କରୋନା ଗତ ଏକ ଶତାବ୍ଦୀ ମଧ୍ୟରେ ମାନବ ସଭ୍ୟତାର ସବୁଠାରୁ ବଡ଼ ଶତ୍ରୁଭାବେ ଦେଖାଦେଇଛି । ଜୀବନଯାତ୍ରା ଆଉ ଆଗଭଳି ରହିନାହିଁ । ଆମେ ସମସ୍ତେ ଏହା ବୁଝିବା ଦରକାର ଏବଂ ସାହାସର ସହ ମିଳିତଭାବେ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ଦରକାର । ମହାପ୍ରଭୁଙ୍କ ଆର୍ଶୀବାଦ ଓ ଆମ ସମସ୍ତଙ୍କ ତ୍ୟାଗ ହିଁ ଏ କଠିନ ପରିସ୍ଥିତିରୁ ଶୀଘ୍ର ମୁକଳାଇ ପାରିବ ।