ରାଜା ବାହାଦୂର ଜଣେ ସ୍ୱାଭିମାନୀ ଓଡ଼ିଆ ଓ ନିଷ୍ଠାପର ଜନସେବକ ଥିଲେ: ମୁଖ୍ୟମନ୍ତ୍ରୀ

ଖଲ୍ଲିକୋଟ ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ୨୧୨ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର: ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ପୂଜ୍ୟପୂଜା ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ଆଜି ସ୍ଥାନୀୟ ଜୟଦେବ ଭବନଠାରେ ଖଲ୍ଲିକୋଟ ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ୧୨୧ତମ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ କହିଥିଲେ ଯେ, ସ୍ୱର୍ଗତରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଜଣେ ସଫଳ ବ୍ୟକ୍ତିତ୍ୱ ଥିଲେ । ଉଭୟ ରାଜତନ୍ତ୍ର ଓ ଗଣତନ୍ତ୍ରରେ ସଫଳତାର ସହ ତାଙ୍କର ଦାୟିତ୍ୱ ନିର୍ବାହ କରି ଜନସାଧାରଣଙ୍କର ଶ୍ରଦ୍ଧା ଓ ଆଦର ଲାଭ କରିପାରିଥିଲେ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ତାଙ୍କର ଅବଦାନ ଯେତିକି ଗୁରୁତ୍ୱପୂର୍ଣ୍ଣ ଥିଲା, ଗଞ୍ଜାମ ଓ ଓଡ଼ିଶାର ବିକାଶ କ୍ଷେତ୍ରରେ ତାଙ୍କର ଅବଦାନ ଗୁରୁତ୍ୱପୂର୍ଣ୍ଣ ଥିଲା । ଜଣେ ସ୍ୱାଭିମାନୀ ଓଡ଼ିଆ ଓ ନିଷ୍ଠାପର ଜନସେବକ ଭାବେ ସେ ସବୁଦିନ ପାଇଁ ଲୋକଙ୍କ ହୃଦୟରେ ବଂଚିରହିବେ । ତାଙ୍କର କାର୍ଯ୍ୟଧାରା, ଆଦର୍ଶ, ପ୍ରତିବଦ୍ଧତା ଏବଂ ଓଡ଼ିଶା ମାଟି ପ୍ରତି ତାଙ୍କର ନିଷ୍ଠା ଆମ ସମସ୍ତଙ୍କ ପାଇଁ ପ୍ରେରଣା ବୋଲି ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରି ରାଜା ବାହାଦୂରଙ୍କ ପ୍ରତି ତାଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବାଚସ୍ପତି ଶ୍ରୀ ସୂର୍ଯ୍ୟପାରାୟଣ ପାତ୍ର, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଖଲ୍ଲିକୋଟ ରାଜ ପରିବାରର ଅବଦାନ ଉପରେ ଆଲୋକପାତ କରିବା ସହିତ ସ୍ୱର୍ଗତ ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କୁ ବିକାଶ ପୁରୁଷ ଭାବେ ବର୍ଣ୍ଣନା କରିଥିଲେ । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ ଆରୁଖ ତାଙ୍କ ଭାଷଣରେ ଓଡ଼ିଶାର ସାହିତ୍ୟ, ସଂସ୍କୃତି, ଶିକ୍ଷା ଓ ବିକାଶ କ୍ଷେତ୍ରରେ ରାଜା ବାହାଦୂରଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ତାଙ୍କ ଅଭିଭାଷଣରେ ରାଜା ବାହାଦୂରଙ୍କର ଦୂରଦୃଷ୍ଟି ଓ ଦେଶଭକ୍ତି ଆଗାମୀ ପିଢ଼ୀକୁ ଅନୁପ୍ରାଣିତ କରିବ ବୋଲି ଆଶାବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଓ ଖଲ୍ଲିକୋଟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣି ବୈଦ୍ୟ ତାଙ୍କ ଭାଷଣରେ ରାଜା ବାହାଦୂରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସୂଚନା ଓ ଲୋକସମ୍ପର୍କ ବିଭାଗର ଶାସନ ସଚିବ ଶ୍ରୀ ସଂଜୟ ସିଂ ତାଙ୍କ ସ୍ୱାଗତ ଭାଷଣରେ ବିଭିନ୍ନ କ୍ଷେତ୍ରରେ ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ । ପୂଜ୍ୟପୂଜା ସାହିତ୍ୟ ସଂସଦର ସମ୍ପାଦକ ଶ୍ରୀ ମହେଶ୍ୱର ବରାଡ ଧନ୍ୟବାଦ ଦେଇଥିଲେ ।